ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଇଁ ପ୍ରସ୍ତୁତି ବୌଠକ। ଗଞ୍ଜାମ ରେ ଥିବା ସମସ୍ତ ରାସାୟନିକ କାରଖାନା ଗୁଡିକ ର ସୁରକ୍ଷା ଯାଂଚ ହେବ

0
190

ଛତ୍ରପୁର ,୧୯/୧୦–ଅକ୍ଟୋବର ୨୯ ତାରିଖ ଦିନ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ସହିତ ମନୁଷ୍ୟକୃତ ବିପର୍ଯ୍ୟୟ ପାଇଁ ସତର୍କ ରହିବାକୁ ଆଲୋଚନା କରାଯାଇଥିଲା । ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ଥିବା ରାସାୟନିକ କାରଖାନା ଗୁଡିକର ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଥିଲେ । ସେହି ସବୁ ରାସାୟନିକ କାରଖାନା ଗ୍ରହଣ କରିଥିବା ନିରାପତ୍ତା ବ୍ୟବସ୍ଥା ସମ୍ବନ୍ଧରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବେ । ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ଅବସରରେ ଜିରୋ କାଜୁଆଲିଟିକୁ ସମ୍ପୂର୍ଣ୍ଣ ଗୁରୁତ୍ୱ ଦିଆଯିବ । ଚଳିତ ବର୍ଷ ଗଞ୍ଜାମରେ ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ନେଇ ଗଠନ କରାଯାଇଥିବା ସ୍ୱୟଂସିଦ୍ଧା ଦଳ ବିପର୍ଯ୍ୟୟ ମୁକାବିଲା ପାଇଁ ଗ୍ରହଣ କରିଥିବା ତାଲିମ ପ୍ରଦର୍ଶନ କରିବେ । ଏହି ମାନେ ଗାଁ ଗହଳିରେ ଲୋକ ମାନଙ୍କୁ ଅଧିକ ସଚେତନ କରିବା ପାଇଁ ପଦକ୍ଷେପ ନେବେ । ରନ୍ଧନ ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ ହେଲେ ତାକୁ କିପରି ଆୟତ୍ତ କରାଯିବ ତାହା ଉକ୍ତ ଦିବସରେ ପ୍ରଦର୍ଶିତ ହେବ । ଛାତ୍ରଛାତ୍ରୀ ମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷିତ ରହିବା ପାଇଁ ଆବଶ୍ୟକ ତାଲିମ ପ୍ରଦାନ କରାଯିବ । ଗଞ୍ଜାମର ୧୫୦ ଗୋଟି ଗ୍ରାମରେ ସ୍ୱୟଂସିଦ୍ଧା ଗୋଷ୍ଠୀ ଗଠନ କରାଯାଇଥିବା ସ୍ଥଳେ ଏହାକୁ ଅଧିକ ପ୍ରସାରିତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପ୍ରଜ୍ଞାପାରମିତା ଥାଟୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଅଷ୍ଟମ ବାଟାଲିଆନର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଗୋପବନ୍ଧୁ ତ୍ରିପାଠୀ, କମାଣ୍ଡାଣ୍ଟ ମେଜର ମୋହନ କୁମାର ରାଉତ, ଓସଡାମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଭୁ ପ୍ରସାଦ ମହାରଣା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here