ଗଞ୍ଜାମ ଜିଲା ପ୍ରଶାସନ ପକ୍ଷ ରୁ “ତାରା” ଯୋଜନା ଶୁଭାରମ୍ଭ

0
233

ଛତ୍ରପୁର,୦୫/୧୨-ଗ୍ରାମାଞ୍ଚଳରେ କୃଷିର ବିକାଶ ସହ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ‘ତାରା’ ଯୋଜନା ଶୁଭାରମ୍ଭ ହୋଇଛି । ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । କୃଷିକୁ ସଶକ୍ତ କରିବା ପାଇଁ ତାରା ଯୋଜନା ସହାୟକ ହେବ ବୋଲି ସେ କହିଥିଲେ । ମନ୍ତ୍ରୀ ଆହୁରି କହିଥିଲେ, କୃଷି ଓ ଆନୁଷଙ୍ଗିକ ବିଭାଗ ପାଇଁ ରାଜ୍ୟ ସରକାର ବଜେଟ୍‌ରେ ଅନୁଦାନ ବ୍ୟବସ୍ଥା କରିଛନ୍ତି। ସବୁ ବିଭାଗ ମଧ୍ୟରେ ସମନ୍ବୟ ରଖିଲେ ଏହା ସଫଳ ହୋଇପାରିବ । ଜିଲାର ୭ ଲକ୍ଷ ୧୧ ହଜାର ୫୮୯ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୬୦ ହଜାର ୩୧୯ ଚାଷୀ ସହାୟତା ପାଇଥିବା ମନ୍ତ୍ରୀ କହିଥିଲେ । ଗଞ୍ଜାମ ଜିଲା ପ୍ରଶାସନ ପ୍ରେରଣାରେ କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ, ଗ୍ରାମ୍ୟ ଉନ୍ନୟନ ଓ ଆନୁଷଙ୍ଗିକ ବିଭାଗର ବୈଷୟିକ ଓ ସରକାରୀ କାର୍ଯ୍ୟକ୍ରମ ସମନ୍ବୟରେ ‘ତାରା’ ଯୋଜନା କାର୍ଯ୍ୟକାରୀ ହେବ । ଚାଷୀଙ୍କ ଆୟକୁ ୩ ବର୍ଷ ମଧ୍ୟରେ ୨ ଗୁଣ ଅଧିକ କରିବା ଏହି ଯୋଜନାର ଲକ୍ଷ୍ୟ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଥିଲେ । ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ପଞ୍ଚାୟତର ୧୦ ଆଗ୍ରହୀ ଚାଷୀ, ଯାହାଙ୍କର କୃଷି ଜୀବୀକା ଓ ଉଦ୍ୟୋଗୀ ହେବାକୁ ସଂକଳ୍ପ ନେଇଛନ୍ତି ସେଭଳି ୫୦୩୦ ଜଣଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜିଲାର ୨୮୦୦ ଚାଷୀଙ୍କ ମୃତ୍ତିକା ପରୀକ୍ଷା କରାଯାଇଛି । ଏଥିରୁ ୭ ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବିଶ୍ୱ ମୃତିକା ଦିବସ ଅବସରରେ ମନ୍ତ୍ରୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲାପାଳ(ରାଜସ୍ବ) ଲକ୍ଷ୍ମୀକାନ୍ତ ସେଠୀ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲାପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଜିଲା ମୁଖ୍ୟ କୃଷି ଅଧିକାରୀ କାଶିନାଥ ଖୁଣ୍ଟିଆ, ସହକାରୀ ନିର୍ଦ୍ଦେଶକ (ମୃତ୍ତିକା ସଂରକ୍ଷଣ) ସୁଧାକର ଶତପଥୀ, ୱାଟରସେଡ୍‌ ପିଡି ପ୍ରଶାନ୍ତ କୁମାର ହଜାରୀ, ଉପନିର୍ଦ୍ଦେଶକ (ଉଦ୍ୟାନ) ଦିଗାମ୍ବର ପଣ୍ଡାଙ୍କ ସମେତ ଚାଷୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here