ପ୍ରକାଶ ପାଇଲା ନଭେମ୍ବର ମାସ ପାଇଁ ଓଡିଶା ଷ୍ଟାର ରେଟିଙ୍ଗ, ୧୦ଟି ଶିଳ୍ପାନୁଷ୍ଠାନକୁ ୫ ଷ୍ଟାର

0
423

 

ଭୁବନେଶ୍ୱର(୧୦/୧୨)- ନଭେମ୍ବର ମାସ ପାଇଁ ଓଡିଶା ଷ୍ଟାର ରେଟିଙ୍ଗ ପ୍ରକାଶ ପାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ସ୍ଥିରୀକୃତ ସତର ପ୍ରକାରର ଅତ୍ୟଧିକ ପ୍ରଦୂଷଣ ପ୍ରବଣ ଶିଳ୍ପାନୁଷ୍ଠାନ ମଧ୍ୟରୁ ଓଡ଼ିଶାରେ ଥିବା ୮୧ଟି ପାଇଁ ଏହି ରେଟିଙ୍ଗ ପ୍ରକାଶିତ ହୋଇଛି। ସେମାନଙ୍କ ମଧ୍ୟରୁ ୧୦ଟି ଶିଳ୍ପାନୁଷ୍ଠାନ ୫ ଷ୍ଟାର(ସର୍ବାଧିକ ପରିବେଶ ପାରଦର୍ଶୀ) ପାଇଥିବା ବେଳେ ତିନୋଟି ଶିଳ୍ପାନୁଷ୍ଠାନ୪ ଷ୍ଟାର, ଗୋଟିଏ ଶିଳ୍ପାନୁଷ୍ଠାନ ୨ଷ୍ଟାର ପାଇଛନ୍ତି। ନଭେମ୍ବର ମାସ ପାଇଁ ପ୍ରକାଶିତ ହୋଇଥିବା ୬୭ଟି ଶିଳ୍ପାନୁଷ୍ଠାନ ଏକ ଷ୍ଟାର ମାନ୍ୟତା ପାଇଛନ୍ତି। ମେ ମାସର ଫନି ବାତ୍ୟା ଓ ସର୍ଭର ସ୍ଥାନାନ୍ତରଣ ପାଇଁ ଓଡିଶା ଷ୍ଟାର ରେଟିଙ୍ଗ କାର୍ଯ୍ୟକ୍ରମ ମେ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସ୍ଥଗିତ ଥିଲା। ଅକ୍ଟୋବର ମାସ ଠାରୁ ଏହାକୁ ପୁନଶ୍ଚ କାର୍ଯ୍ୟକାରୀ କରାଯାଇଛି। ଏ ବିଷୟରେ ସବିଶେଷ ବିବରଣୀ ଷ୍ଟାର ରେଟିଙ୍ଗ ୱେବସାଇଟ(https://ospcb.info/)ରେ ଉପଲବ୍ଧ।

ଓଡିଶା ଷ୍ଟାର ରେଟିଙ୍ଗ ହେଉଛି ଶିଳ୍ପାନୁଷ୍ଠାନମାନଙ୍କର ପ୍ରଦୂଷଣ ତଥ୍ୟର ସର୍ବଜନୀକରଣ କାର୍ଯ୍ୟକ୍ରମ। ପ୍ରଦୂଷଣ ତଥ୍ୟକୁ ପ୍ରତି ମାସରେ ପ୍ରକାଶିତ କରି ଶିଳ୍ପାନୁଷ୍ଠାନମାନଙ୍କ ପରିବେଶ ପାରଦର୍ଶିତା ବୃଦ୍ଧି ଓ ଜନସାଧାରଣଙ୍କ ମଧ୍ୟରେ ଏହାକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।୨୦୧୮ମସିହା ସେପ୍ଟେମ୍ବର ମାସରେ ଓଡିଶା ଷ୍ଟାର ରେଟିଙ୍ଗ କାର୍ଯ୍ୟକ୍ରମର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦ୍ୱାରା କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ଶିଳ୍ପାନୁଷ୍ଠାନମାନଙ୍କରୁ ନିର୍ଗତ କଣିକାତତ୍ତ୍ୱ ବା ପାର୍ଟିକୁଲେଟ ମ୍ୟାଟରକୁ ହିସାବକୁ ନେଇଛି ଓ ଧୀରେ ଧୀରେ ଅନ୍ୟାନ୍ୟ ପ୍ରଦୁଷକ ଗୁଡିକୁ ଏଥିରେ ସାମିଲ କରାଯିବ।

ରାଜ୍ୟସରକାରଙ୍କ ଦ୍ୱାରା କଡାକଡି ଭାବେ ପାଳନ କରାଯାଉଥିବା 5T କାର୍ଯ୍ୟକ୍ରମର ଏକ ସଫଳ ଉଦାହରଣ ହେଉଛି ଓଡିଶା ଷ୍ଟାର ରେଟିଙ୍ଗ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଏହି କାର୍ଯ୍ୟକ୍ରମ କ୍ରିୟାନ୍ଵିତ କରିବା ପାଇଁ ବୈଷୟିକ ସହାୟତା ଚିକାଗୋ ବିଶ୍ୱବିଦ୍ୟାଳୟସ୍ଥିତ ଏନର୍ଜି ପଲିସି ଇନଷ୍ଟିଟ୍ୟୁଟ ଓ ଟାଟା ସେଣ୍ଟର ଫର ଡେଭେଲପମେଣ୍ଟ ଯୋଗାଇ ଦେଉଛନ୍ତି। ପ୍ରତି ମାସରେ ଶିଳ୍ପାନୁଷ୍ଠାନମାନଙ୍କର ପ୍ରଦୂଷଣ ତଥ୍ୟର ଉପଲବ୍ଧତା ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ସ୍ଥିରୀକୃତ ମାନକ ଠାରୁ ଏହି ଶିଳ୍ପାନୁଷ୍ଠାନମାନଙ୍କର ପ୍ରଦୂଷଣ ମାତ୍ରା କେତେ ଅଧିକ, ଏହି ଦୁଇଟି କାରକକୁ ହିସାବକୁ ନେଇ ଏହି ରେଟିଙ୍ଗ ପ୍ରସ୍ତୁତ କରାଯାଉଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଚିହ୍ନିତ ହୋଇଥିବା ସତର ପ୍ରକାରର ଅତ୍ୟଧିକ ପ୍ରଦୂଷଣ ପ୍ରବଣ ଶିଳ୍ପାନୁଷ୍ଠାନ ବିଭାଗ ମଧ୍ୟରେ ଓଡ଼ିଶାର ପାଖାପାଖି ୧୨୦ଟି ଶିଳ୍ପାନୁଷ୍ଠାନ ରହିଛନ୍ତି। ଓଡିଶା ଷ୍ଟାର ରେଟିଙ୍ଗ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ସମସ୍ତ ୧୨୦ଟି ଶିଳ୍ପାନୁଷ୍ଠାନକୁ ରେଟିଙ୍ଗ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛି।

LEAVE A REPLY

Please enter your comment!
Please enter your name here