ବ୍ରହ୍ମପୁରରେ ବୃକ୍ଷ ସୁରକ୍ଷା ପାଇଁ ଅଣ୍ଟା ଭିଡିଲା ବ୍ରହ୍ମପୁର ସବୁଜ ବାହିନୀ

0
365

ବ୍ରହ୍ମପୁର ତା:୦୮/୦୧/୨୦ (ବ୍ୟୁରୋ ରିପୋର୍ଟ) ବୃକ୍ଷ ରୋପଣ କରିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପିଲାଟିଏ ଗଛଟିଏ , ସବୁଜ ସୁନ୍ଦର ଆମ ବ୍ରହ୍ମପୁର କାର୍ଯ୍ୟକ୍ରମ କରୁଥିବା ବେଳେ ଅନ୍ୟପଟେ ଉନ୍ନତିକରଣ ନାମରେ ଶତାଧିକ ବୃକ୍ଷ କାଟୁଛି, ବୃକ୍ଷ ସୁରକ୍ଷା କାର୍ଯ୍ୟକ୍ରମ ନାରାରେ ସୀମିତ ଥିବା ମନେ ହେଉଛି । ହରିଡାଖଣ୍ଡି ଠାରୁ ଆମ୍ବ ବଜାର ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ରେ ବଳି ପଡିଛି ଶତାଧିକ ବୃକ୍ଷ । ବ୍ରହ୍ମପୁର ସହରକୁ ସବୁଜ ସୁନ୍ଦର କରିବାକୁ ଅଣ୍ଟା ଭିଡିଥିବା ବ୍ରହ୍ମପୁର ସବୁଜ ବାହିନୀ ଏହାକୁ ବିରୋଧ କରି ପ୍ରଶାସନ ନିକଟରେ ଏହାର ବିକଳ୍ପ ରେ ଦଶ ପନ୍ଦର ବର୍ଷ ର ବୃକ୍ଷ ଗୁଡିକୁ ସ୍ଥାନାନ୍ତରିତ କରି ରୋପଣ କରିବାକୁ ପ୍ରସ୍ତାବ ଦେଇଥିଲା ଓ ନିଜସ୍ୱ ଉଦ୍ୟମରେ ସ୍ବେଚ୍ଛାସେବୀ ମାନଙ୍କୁ ନେଇ କିଛି ବୃକ୍ଷ ମଧ୍ୟ ସ୍ଥାନାନ୍ତରିତ କରିଥିଲା।
ପୂର୍ତ୍ତ ବିଭାଗର ସୁପରିଟେଣ୍ଡ ଇଞ୍ଜିନିୟର ଙ୍କୁ ଏ ବିଷୟରେ ଦାବି ପ୍ରଦାନ କରାଯାଇଥିଲା । ସେମାନେ ମଧ୍ୟ ସେମାନଙ୍କ କର୍ମଚାରୀ ଓ ଠିକାଦାର ମାନଙ୍କୁ ଯେତେ ଦୂର ସମ୍ଭବ ବୃକ୍ଷ ସ୍ଥାନାନ୍ତରିତ କରିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ ।ବିଡମ୍ବନା ର ବିଷୟ ଏହିକି ଯେ ଉପରିସ୍ଥ ଅଧିକାରୀ ନିର୍ଦ୍ଦେଶ କୁ ଖୋଲା ଖୋଲି ଅବମାନନା କରି ଜନ ବିରୋଧକୁ ଡରି ରାତାରାତି ବୃକ୍ଷ କାଟୁଛନ୍ତି । ଦୀର୍ଘ ଦିନର ନିରବତା ପରେ ବିଗତ ଦଶ ଦିନରେ ବୃକ୍ଷ କାଟିବା ଲକ୍ଷ୍ୟ କରାଯାଇଛି । ଗତକାଲି ଅନ୍ଧପସରା ରାସ୍ତା ରେ ଦଶ ଗୋଟି କଦମ୍ବ,କୃଷ୍ଣ ଚୂଡା,ରାଧା ଚୂଡା ଆଦି ବୃକ୍ଷ କୁ ମୂଳରୁ ଉପାଡି ଫିଙ୍ଗିଦେଇଛନ୍ତି ।
ଯାହାକି ପରିବେଶବିତ୍ ଙ୍କୁ ଗଭୀର ମର୍ମାହତ କରିଛି । ଅନ୍ୟପକ୍ଷରେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଓ.ଡି.ଆର.ପି ଅଧିନରେ ହାଉସିଙ୍ଗ ବୋର୍ଡ ରୁ ଆମ୍ବବଜାର ନିର୍ମାଣଧିନ ରାସ୍ତାରେ ମଧ୍ୟ ବୃକ୍ଷ କଟା ଚାଲିଛି ।
ଏଭଳି ଯଦି ଉନ୍ନତି ନାମରେ ବୃକ୍ଷ ଛେଦନ ଚାଲେ ବ୍ରହ୍ମପୁର ସହର କିଛି ବର୍ଷ ମଧ୍ୟରେ ବୃକ୍ଷ ଶୂନ୍ୟ ହୋଇ ଦିଲ୍ଲୀ ଭଳି ପରିସ୍ଥିତି ଉତ୍ପନ୍ନ ହେବ ଏଥିରେ ଦ୍ବିମତ ନାହିଁ ।ସବୁଜ ବାହିନୀ ର ସଭାପତି ଶିବରାମ ପାଣିଗ୍ରାହୀ କହିଛନ୍ତି ଯେ ଗତ ବର୍ଷ ୧୮/୦୭/୧୯ ରେ ଆମେ ପୂର୍ତ୍ତ ବିଭାଗ ସୁପରିଟେଣ୍ଡ କୁ ଦାବି ଜଣାଇଥିଲୁ , ସେ ପଦକ୍ଷେପ ସ୍ବରୁପ ଚିଠି ସଂଖ୍ୟା ୧୮୯୬-୧୯/୦୭/୧୯ ରେ ସମସ୍ତ ବିଭାଗୀୟ ଯନ୍ତ୍ରୀ କୁ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ପୁଣି କିଛି ଦିନ ପରେ ଠିକାଦାର ମାନେ ପୁନର୍ବାର ବୃକ୍ଷ କାଟିବାରୁ ୦୫/୧୧/୧୯ରେ ଦାବି ଜଣାଇଥିଲୁ କିନ୍ତୁ ଆମ ଦାବି ପ୍ରତି ଅଣଦେଖା କରୁଛନ୍ତି ।ପୂର୍ବରୁହରିଡାଖଣ୍ଡି ଠାରୁ ଅନ୍ଧପସରା ରାସ୍ତାରେ ୬୯ ବୃକ୍ଷ ଥିଲା ବେଳେ ବର୍ତ୍ତମାନ ୪୮ ଏବଂ ହାଉସିଙ୍ଗ ବୋର୍ଡ ଠାରୁ ଆମ୍ବବଜାର ପୂର୍ବରୁ ୭୩ ବୃକ୍ଷ ଥିଲା ବେଳେ ବର୍ତ୍ତମାନ ୫୭ ବୃକ୍ଷ ଅଛି ଅନ୍ୟ ୩୭ ବୃକ୍ଷ ଗୁଡିକୁ ରାତାରାତି କଟାଯାଇଛି ।
ଆଜି ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ , ମହାତ୍ମା ହ୍ୟାଲ୍ପିଂ ହ୍ୟାଣ୍ଡ ଆଦି ଅନୁଷ୍ଠାନ ପକ୍ଷରୁ କଟାଯାଇ ଥିବା ବୃକ୍ଷ ନିକଟରେ ପ୍ରତିବାଦ କରାଯାଇଥିଲା । ପ୍ରଶାସନ ଓ ଠିକାଦାର ର ଏଭଳି ମନମୁଖି କାର୍ଯ୍ୟକୁ ନିନ୍ଦା କରିଛନ୍ତି ଓ ଚେତାବନୀ ମଧ୍ୟ ଦିଆଯାଇଛି ଯେ ଭବିଷ୍ୟତରେ ଏଭଳି କାର୍ଯ୍ୟ ରୁ ଅନ୍ତର ନହୁଅନ୍ତି ଠିକାଦାର ଙ୍କ ବିରୋଧରେ ଏତଲା ଦେବାସହ , ନ୍ୟାସନାଲ ଗ୍ରୀନ ଟ୍ୟୁବନାଲରେ ଅଭିଯୋଗ କରିବାକୁ ପ୍ରସ୍ତୁତ ଥିବା ଜଣାପଡିଛି ।
ଆଜିର ପ୍ରତିବାଦରେ ବ୍ରହ୍ମପୁର ସବୁଜ ବାହିନୀ ର ସଭାପତି ଶିବରାମ ପାଣିଗ୍ରାହୀ, ସଂପାଦକ ଏମ୍.ଦିଲ୍ଲୀପ କୁମାର, ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ସଂପାଦକ ବିଜେନ୍ଦ୍ର ମାଝୀ, ମହାତ୍ମା ହ୍ୟାଲ୍ପିଂ ହ୍ୟାଣ୍ଡ ର ଏମ.ଭେଙ୍କଟ ରାମାଣା,ପରିବେଶବିତ୍ ଶ୍ୟାମସୁନ୍ଦର ଖାଡଙ୍ଗା,ଅରବିନ୍ଦ ଦେଶିବେହେରା,ଏ.ପ୍ରକାଶ.ସଞ୍ଜୟ ପାତ୍ର, ସତ୍ୟ ନାରାୟଣ ଦାସ,ସୁନିଲ ପାତ୍ର, ପ୍ରସନ୍ନ ସ୍ବାଇଁ, ସିଲୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here