ଜରଡ଼ା ଜଗନ୍ନାଥ ମନ୍ଦିର ସଂସ୍କାର ୧ରୁ

0
202

ବ୍ରହ୍ମପୁର,୨୮/୦୨/୨୦୨୦(ସନ୍ତୋଷ ନାୟକ) ଐତିହ୍ୟସମ୍ପନ୍ନ ଗାଁ ଭାବେ ପରିଚିତ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଜରଡ଼ାଗଡ଼ । ରାମାୟଣ ଓ ମହାଭାରତର ଗାଥା ବହନ କରେ ଏହି ଗ୍ରାମ । ସର୍ବୋପରି ଏଠାକାର ଆରାଧ୍ୟଦେବ ଶ୍ରୀପାର୍ଥସାରଥିଙ୍କ ସହ ଜଡ଼ିତ ମହାଭାରତର ପୌରାଣିକ କଥାବସ୍ତୁ । ଆଜି ଜରଡ଼ାଗଡ଼ ପରିଚିତ ହୋଇଛି ପ୍ରଭୁ ଶ୍ରୀପାର୍ଥସାରଥିଙ୍କ ପାଇଁ । ଜରଡ଼ା ରାଜ୍ୟ(ସେତେବେଳେ ରାଜ୍ୟ କୁହାଯାଉଥିଲା) ଗଠନ ହେବା ପରଠାରୁ ପୂଜା ପାଇ ଆସୁଛନ୍ତି ପ୍ରଭୁ ପାର୍ଥସାରଥି । ୧୭୫୯ରେ କୃଷ୍ଣଚନ୍ଦ୍ର ସାମନ୍ତରାୟ ଜରଡ଼ାରେ ରାଜପ୍ରାସାଦ ସହ ଠାକୁରଙ୍କ ପାଇଁ ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ । ଯେଉଁଠି ଶ୍ରୀଜଗନ୍ନାଥଙ୍କ ସହ ପ୍ରଭୁ ପାର୍ଥସାରଥି ପୂଜା ପାଉଛନ୍ତି । ମନ୍ଦିର ଗର୍ଭଗୃହରେ ଗୋପାଳକୃଷ୍ଣ, ଲକ୍ଷ୍ମୀ, ସରସ୍ୱତୀଙ୍କ ସହ ଶାଳଗ୍ରାମ ମଧ୍ୟ ବିରାଜମାନ କରିଛନ୍ତି । ପଡ଼ୋଶୀ ଆନ୍ଧ୍ରପ୍ରଦେଶ ବାସିନ୍ଦାଙ୍କ ପାଇଁ ଜରଡ଼ାଗଡ଼ ହେଉଛି ଦ୍ୱିତୀୟ ଶ୍ରୀକ୍ଷେତ୍ର ।

ଦୀର୍ଘ ବର୍ଷ ପୂର୍ବେ ନିର୍ମିତ ଏହି ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଯାଇଥିଲା । ଏବେ ନୂଆ ଭାବେ ଗର୍ଭଗୃହ ତିଆରି କରାଯାଇଛି । ଏହାକୁ ସଂସ୍କାର କରାଯିବ । ପରେ ଶ୍ରୀମନ୍ଦିରକୁ ବିଜେ କରିବେ ପ୍ରଭୁ ଜଗନ୍ନାଥ ଓ ଶ୍ରୀପାର୍ଥସାରଥି । ରବିବାର ମାର୍ଚ୍ଚ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ପାର୍ଥସାରଥି ମହାପ୍ରଭୁଙ୍କ ଜିର୍ଣ୍ଣୋଦ୍ଧାର ବୈଷ୍ଣବ ପ୍ରସାଦ ସଂସ୍କାର କାର୍ଯ୍ୟକ୍ରମ ଆୟୋଜିତ ହେବ । ୧ ତାରିଖରେ ଅଙ୍କୁରାରୋପଣ କରାଯିବ । ୨ ତାରିଖରୁ ଆରମ୍ଭ ହେବ ଯଜ୍ଞ । ୨ ତାରିଖରେ ଯଜ୍ଞ ମଣ୍ଡପ ସଂସ୍କାର ସହ ବୈଷ୍ଣବାଗ୍ନି ସ୍ଥାପନ, ଚକ୍ରଧାନ୍ୟାଦିବାସ ଓ ନାମଯଜ୍ଞ, ୩ ତାରିଖରେ ଚକ୍ର ସ୍ନାନ, ସ୍ୱସ୍ତିକ ମଣ୍ଡଳ ଶୟନ, ନ୍ୟାସ ଓ ଘୃତ ଯଜ୍ଞ, ୪ ତାରିଖରେ ଚକ୍ର, ଧ୍ୱଜା ସ୍ଥାପନ ଓ ଘୃତ ଯଜ୍ଞ ଆୟୋଜିତ ହେବାକୁ ଥିବା ବେଳେ ୫ ତାରିଖ ଦିନ ଯଜ୍ଞର ପୂର୍ଣ୍ଣାହୁତି ହେବ । ୫ ତାରିଖ ଦିବା ୧୦ଟା୩୦ମିନିଟରେ ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀ ପାର୍ଥସାରଥି ରତ୍ନ ସିଂହାସନ ଆରୋହଣ କରିବେ । ଏହାପରେ ୧୧.୧୫ ମିନିଟରେ ଯଜ୍ଞର ପୂର୍ଣ୍ଣାହୁତି ହେବ । ଚିକିଟି ଲୋକନାଥପୁର ଶାସନର ପଣ୍ଡିତ ଅଶୋକ କୁମାର ପାଢୀ ବୈଷ୍ଣବ ପ୍ରସାଦ ସଂସ୍କାର କାର୍ଯ୍ୟକ୍ରମରେ ପୌରହିତ୍ୟ କରିବେ । କର୍ତ୍ତା ଭାବେ ଜରଡ଼ା ରାଜା ଦୀପକ ଚନ୍ଦ୍ର ଦେଓ ଏବଂ ରାଣୀ ମା’ ଉପସ୍ଥିତ ରହିବେ । ଦୃଷ୍ଟିହୀନ ଭଜନ ସମାରୋହ, ସନାତନ ଧର୍ମ ମହାସଭା, ୧୦୮ ଭାଗବତ ପାରାୟଣ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଭୁଙ୍କ ଆଶୀର୍ବାଦ ଲାଭ କରିବାକୁ ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here