ଲକ୍ ଡାଉନ୍ ସମୟରେ ଚକ୍କର କାଟିଲେ , ବାଇକ୍ ସହିତ ମୋବାଇଲ୍ ମଧ୍ୟ ଜବତ କରାଯିବ

0
433

ଛତ୍ରପୁର,୨୬/୦୩/୨୦୨୦(ବ୍ୟୁରୋ ରିପୋର୍ଟ) କରୋନା କୁ ପ୍ରତିହତ କରିବାପାଇଁ ଲକ୍ ଡାଉନ୍ କୁ ଯେଉଁମାନେ ହାଲକା ଭାବରେ ଗ୍ରହଣ କରି ବାଇକ୍ ରେ ଖୁସି ବ୍ୟକ୍ତ କରିବାକୁ ଚକ୍କର କାଟୁଛନ୍ତି ସେମାନଙ୍କ ବାଇକ୍ ସହ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ସାମାଜିକ ଦୂରତା ରକ୍ଷା କରିବାରେ ମୋଟର ସାଇକେଲ ବ୍ୟାଘାତ ସୃଷ୍ଟି କରୁଥିବାରୁ ଏହାର ଚଳାଚଳକୁ ଶତପ୍ରତିଶତ ନିଷେଧ କରାଯାଇଛି । ଅଧିକ ମାତ୍ରାରେ ରୋଡ୍ ବ୍ୟାରିକେଡିଂ କରାଯିବ । ବିଡିଓ, ତହସିଲଦାର ଏବଂ ଥାନା ଭାରପ୍ରାପ୍ତ ଅଧିକାରୀ ସମ୍ପୂର୍ଣ୍ଣ ବ୍ଲକ୍ ଅଞ୍ଚଳକୁ ଆବଣ୍ଟିତ କରି ତଦାରଖ କରିବେ । ଜିଲ୍ଲାରେ ବାହାର ରାଜ୍ୟରୁ ଆସିଥିବା ୧୫ ହଜାର ୩୭୭ ଜଣ ଏବଂ ବିଦେଶରୁ ଆସିଥିବା ୩୭୨ ଜଣଙ୍କର ପ୍ରତ୍ୟହ ସ୍ବାସ୍ଥ୍ୟାବସ୍ଥା ତଦାରଖ କରାଯିବ । ଟାଟା ସହିତ ବୁଝାମଣା ପୂର୍ବକ ଶୀତଳାପଲ୍ଲି ସ୍ଥିତ ଟାଟା ମେମୋରିଆଲ୍ ହସ୍ପିଟାଲ କୁ କରୋନା ଆଇସୋଲେଟେଡ୍ ଡାକ୍ତରଖାନା ରୂପେ ବ୍ୟବହାର କରାଯିବ । ଅନ୍ୟୁନ ୧୦୦ ରୋଗୀଙ୍କ ପାଇଁ ତୁରନ୍ତ ବେଡ୍ ର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ବେଡ୍ ଗୁଡିକର ସୁବ୍ୟବସ୍ଥା ସ୍ବଳ୍ପ ସମୟ ମଧ୍ୟରେ କରାଯିବ । ଜିଲ୍ଲାପାଳ ବ୍ୟକ୍ତିଗତ ଭାବରେ ଏହାକୁ ତଦାରଖ କରୁଛନ୍ତି । ବୟସ୍କ ବ୍ୟକ୍ତି ବାହାରକୁ ନ ବାହାରିବାପାଇଁ ଅନୁରୋଧ କରାଯାଇଛି । ଜିଲ୍ଲାର ପ୍ରତ୍ୟେକ ପରିବାରରେ ମୁଖ୍ୟମନ୍ତ୍ରୀଙ୍କ ଘୋଷିତ ଶପଥ ପାଠ କରିବାକୁ ଜିଲ୍ଲାପାଳ କହିଛନ୍ତି । ପ୍ରତ୍ୟେକ ଗ୍ରାମ ସ୍ତରରେ ୫ ଜଣ ସ୍ବେଚ୍ଛାସେବୀ ଏବଂ ପଞ୍ଚାୟତ ସ୍ତରରେ ୨୦ ଜଣ ସ୍ବେଚ୍ଛାସେବୀ ଚିହ୍ନଟ କରି ସଜାଗ ରଖିବାକୁ ଜିଲ୍ଲାପାଳ କହିଛନ୍ତି । ଯେଉଁ ମାନଙ୍କର କ୍ବାରେଣ୍ଟାଇନ୍ ଅବଧି ସରୁଛି ସେମାନଙ୍କୁ ବାହାରେ ବୁଲିବା ନିଷେଧ କରାଯାଇଛି । କେହି ଯେପରି ଭୋକିଲା ନ ରହେ ତାକୁ ସଂପୃକ୍ତ ବିଡିଓ ତଦାରଖ କରିବେ । ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଚାରି ଚକିଆ ଏବଂ ତିନି ଚକିଆ ଯାନକୁ ସଂପୃକ୍ତ ଉପ ଜିଲ୍ଲାପାଳ ସ୍ତରରେ ଅନୁମତି ପତ୍ର ଦିଆଯିବ । କୌଣସି ବ୍ୟକ୍ତି ଯଦି ଅନୁମତି ପତ୍ରର ଅସଦ୍ ବ୍ୟବହାର କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଫୌଜଦାରୀ ଆଇନ୍ ଲାଗୁ କରାଯିବ । ସାହି ବସ୍ତିରେ ସ୍ବୟଂ ସହାୟିକା ଗୋଷ୍ଠୀ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ପରିବା ବିକ୍ରୟ କରିବେ । ଯେଉଁଠାରେ ପୂର୍ବରୁ ପରିବା ବିକ୍ରୟ କରାଯାଉଥିଲା ସେଠାର ବିକ୍ରେତା ମାନଙ୍କୁ ଭାଗଭାଗ କରି ସହରର ବିଭିନ୍ନ ଅଞ୍ଚଳରେ ଉପଯୁକ୍ତ ଦୂରତ୍ବ ବଜାୟ ରଖି ପରିବା ବିକ୍ରୟ କରିବାକୁ କୁହାଯାଇଛି । ସ୍ଥାନୀୟ ପ୍ରଶାସନ ଏହାକୁ ସୁନିଶ୍ଚିତ କରିବେ ।

କରୋନାର ବିଭିଷିକାକୁ ହୃଦୟଙ୍ଗମ କରି ପ୍ରତ୍ୟେକ ବ୍ୟକ୍ତି ଶୃଙ୍ଖଳିତ ସୈନିକ ଭାବରେ ଏହି ଲଢାଇରେ ସାମିଲ ହେବାପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here