କୋଭିଡ୍‌ ହସ୍ପିଟାଲକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ, ପରିଦର୍ଶନ ପରେ କହିଲେ ଏମ୍‌କେସିଜିରେ ଅକ୍ସିଜେନ ଅଭାବ ଖବର ମିଥ୍ୟା

0
166

ବ୍ରହ୍ମପୁର,୨୪/୦୪/୨୦୨୧ (ଟୁକୁନା ପ୍ରଧାନ) ଗଞ୍ଜାମ ଜିଲାପାଳ ବିଜୟ ଅମୃତେ କୁଲାଙ୍ଗେ ଆଜି ବ୍ରହ୍ମପୁର ଏମ୍‌କେସିଜି କୋଭିଡ୍‌ ହସ୍ପିଟାଲକୁ ଅଚାନକ ପରିଦର୍ଶନ କରିବାକୁ ଯାଇଥିଲେ। ପିପିଇ କିଟ୍‌ ପିନ୍ଧି ଜିଲ୍ଲାପାଳ ଉକ୍ତ କୋଭିଡ୍‌ ହସ୍ପିଟାଲ ମଧ୍ୟକୁ ପ୍ରବେଶ କରି ୱାର୍ଡକୁ ୱାର୍ଡ ବୁଲି ରୋଗୀଙ୍କ ବିଷୟରେ ପଚାରି ବୁଝିଥିଲେ। ଏହି ସମୟରେ ତାଙ୍କ ସହ ଡାକ୍ତର ମାନେ ଉପସ୍ଥିତ ଥିବା ସୂଚନା ମିଳିଛି।ତେବେ ଗସ୍ତ ସମୟରେ ଜିଲ୍ଲାପାଳ କିଛି ରୋଗୀ ଅକ୍ସିଜେନ୍‌ ନେଉଥିବା ତ ଆଉ କିଏ ଶଯ୍ୟାରେ ବସିଥିବା ଦେଖିବାକୁ ପାଇଥିଲେ। ଏପରିକି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ଯୁବକ ଶଯ୍ୟାରେ ବସି ନିଜର ‘ସିଏ’ ପରୀକ୍ଷା ଲାଗି ପାଠ ପଢୁଥିବା ଜିଲ୍ଲାପାଳ ଦେଖିବାକୁ ପାଇଥିଲେ। ଏହି ପରିଦର୍ଶନ ଓ ରୋଗୀଙ୍କ ସହ ଆଲୋଚନା ବେଳର ଫଟୋ ସହ ଏସମ୍ପର୍କରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏଥିସହ କରୋନା ରୋଗୀଙ୍କୁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳ ପଚାରି ବୁଝୁଥିବା ବେଳର ଏକ ଭିଡିଓ ମଧ୍ୟ ଗଣମାଧ୍ୟମକୁ ଏଠାରେ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି।ଜିଲ୍ଲାପାଳ କୁଲାଙ୍ଗେ କରୋନା ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଡାକ୍ତର ନିୟମିତି ଆସୁଛନ୍ତି କି ନାହିଁ, ଖାଇବା କିଭଳିି ମିଳୁଛି ଏବଂ ପରିମଳ ଓ ସଫେଇ ବ୍ୟବସ୍ଥା କଣ ଅଛି ପଚାରି ବୁଝୁଥିବା ଉକ୍ତ ଭିଡିଓରୁ ଜଣାପଡିଛି । ରୋଗୀମାନେ ସବୁଥିରେ ସନ୍ତୋଷ ବ୍ୟକ୍ତ କରିଥିବା ଜିଲ୍ଲାପାଳ କହିଛନ୍ତି । ଏଥିସହ ସେଠାରେ କୌଣସି ଅକ୍ସିଜେନ୍‌ ସମସ୍ୟା ନଥିବା ଜିଲାପାଳ ସ୍ପଷ୍ଟ କରିଛନ୍ତି । ଆମ୍ଭେ ଅକ୍ସିଜେନ୍‌ ଯୋଗାଣର ମନିଟରିଂ କରୁଛୁ ବୋଲି ଜିଲାପାଳ ଜଣାଇଛନ୍ତି। ଆମ ପାଖରେ ପଯ୍ୟାପ୍ତ ଅକ୍ସିଜେନ୍‌ ରହିଛି। ଠିକ୍‌ ସମୟରେ ସପ୍ଲାଏ ଚେନ୍‌ ମନିଟର କରୁଛୁ ବୋଲି ଜିଲ୍ଲାପାଳ ଆଉ ଏକ ଟୁଇଟ୍‌ କରିବା ସହ ଗଣମାଧ୍ୟମକୁ ସେ ଏସମ୍ପର୍କରେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here