ଲଜ୍ୟା : ଛାତ୍ରୀଙ୍କୁ ଅସାଦାଚରଣ କରି ପ୍ରଧାନ ଶିକ୍ଷକ ଅଟକ

0
278

ପୋଲସରା, ୨୮/୦୭/୨୦୨୧ : ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ, କବିସୂର୍ଯ୍ୟନଗର ଥାନା, ବାଲିଛାଇ ଫାଣ୍ଡି ଅନ୍ତର୍ଗତ ଜକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟି ଯାଇଛି ଏକ ଲଜ୍ୟା ଜନକ ଘଟଣା। ଗୁରୁ-ଶିଷ୍ଯା ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ। ଜକର ସ୍କୁଲର ପ୍ରଧାନ ଶିକ୍ଷକ ଜୁଲାଇ ୨୮ ତାରିଖ ଦିନ ବିଦ୍ୟାଳୟ ଅଫିସରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ପ୍ରତି ଅସାଦାଚରଣ କରି କବିସୂର୍ଯ୍ୟନାଗର ଥାନାରେ ଅଟକ ଥିବା ଜଣାପଡିଛି। ଜକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବଳରାମ ବେହେରା ସେହି ବିଦ୍ୟାଳୟର ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ନବୋଦୟ ପରୀକ୍ଷା ଆବେଦନ ପତ୍ର ପୂରଣ ପାଇଁ ବିଦ୍ୟାଳୟକୁ ଡକାଇଥିଲେ। ବିଦ୍ୟାଳୟ ବନ୍ଦ ଥିବାରୁ ଝିଅ ଏକା ଯିବା ଠିକ୍ ହେବ ନାହିଁ ବୋଲି ମନେ କରି ଛାତ୍ରୀ ଜଣଙ୍କର ମାଆ ମଧ୍ୟ ସାଙ୍ଗରେ ଯାଇଥିଲେ। ତେବେ ଛାତ୍ରୀଙ୍କ ମାଆ ବିଦ୍ୟାଳୟ ବାହାରେ ଅପେକ୍ଷା କରିଥିବା ବେଳେ ଛାତ୍ରୀ ଜଣକ ଆବଶ୍ୟକ କାଗଜପତ୍ର ଧରି ପ୍ରଧାନ ଶିକ୍ଷକଙ୍କ ଅଫିସକୁ ଯାଇଥିଲେ। ଛାତ୍ରୀ ବିଦ୍ୟାଳୟ ଭିତରକୁ ଯିବାର ଅଳ୍ପ ସମୟ ପରେ କାନ୍ଦି କାନ୍ଦି ବାହାର କୁ ଆସି ବାହାରେ ଅପେକ୍ଷା କରିଥିବା ମାଆଙ୍କୁ ପ୍ରଧାନ ଶିକ୍ଷକ ଅସଦାଚରଣ କରିଥିବା କହିଥିଲେ। ଖବର ପାଇ ସେଠାରେ କିଛି ଲୋକ ଜମା ହୋଇ ପ୍ରଧାନ ଶିକ୍ଷକଙ୍କୁ ମାରଧର କରି ଅଟକ ରଖିଥିଲେ। କୌଣସି ସୂତ୍ରରୁ ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଥାନା ଆଇଆଇସି ପ୍ରଭାତ ସାହୁ ଓ ବାଲିଛାଇ ଫାଣ୍ଡି ଓଆଇସି ଉମା ଚରଣ ପ୍ରହରାଜ ଜକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ପ୍ରଧାନ ଶିକ୍ଷକଙ୍କୁ ଉତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରି କବିସୂର୍ଯ୍ୟନଗର ଥାନାରେ ଅଟକ ରଖିଛନ୍ତି। ଅସାଦାଚରଣର ଶିକାର ହୋଇ ଥିବା ଛାତ୍ରୀଙ୍କ ପରିବାର ପ୍ରଧାନ ଶିକ୍ଷକ ବଳରାମ ବେହେରାଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ ଦେବାପରେ କବିସୂର୍ଯ୍ୟନଗର ଥାନା କେଶ ନଂ ୩୧୯/୨୧ ପ୍ରକାରେ ଏକ ମାମଲା ରୁଜୁ କରି ପ୍ରଧାନ ଶିକ୍ଷକ ବଳରାମ ବେହେରାଙ୍କୁ ଜେରା ଚାଲିଥିବା କବିସୂର୍ଯ୍ୟନଗର ଥାନା ଆରକ୍ଷୀ ନିରୀକ୍ଷକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ପ୍ରଧାନ ଶିକ୍ଷକ ବଳରାମ ବେହେରା ତୃତୀୟ ଲେଭଲ ପ୍ରଧାନ ଶିକ୍ଷକ ଥିବା ବେଳେ ବର୍ତ୍ତମାନ ଏବିଇଓ ପଦବୀକୁ ପଦୋନ୍ନତି ତାଲିକାରେ ତାଙ୍କର ନାମ ଥିବାବେଳେ ସେ ବର୍ତ୍ତମାନ ଏକ ଫୌଜଦାରୀ ମାମଲାରେ ଛନ୍ଦି ହୋଇଥିବା ଯୋଗୁଁ ପଦୋନ୍ନତି ଅଟକି ରହିଯିବା ଅଧିକ ସମ୍ଭାବନା ରହିଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here