ଗଞ୍ଜେଇ ବ୍ୟବସାୟରୁ ନିବୃତ୍ତି ସହ ପଞ୍ଚାୟତ ନିର୍ବାଚନର ଶୃଙ୍ଖଳିତ ପରିଚାଳନା ନେଇ ପଟିଗୁଡ଼ାରେ ପାଟପୁର ଥାନା ଆମ ପୋଲିସ ସମିତିର ସଚେତନା ବୈଠକ

0
232

ବ୍ରହ୍ମପୁର, ୧୯/୧୧/୨୦୨୧: ରାଜ୍ୟ ସରକାରଙ୍କ ଅବକାରୀ ନୀତିରେ ଗଞ୍ଜେଇକୁ ନିଷିଦ୍ଧ ନିଶାଦ୍ରବ୍ୟ ଭାବରେ ବିବେଚିତ କରି ଏହାର ବ୍ୟବହାରକୁ ନେଇ କଟକଣା ଜାରି କରିଛନ୍ତି । ଅନ୍ୟ ପକ୍ଷରେ ଗଞ୍ଜେଇ ଭଳି ମାଦକ ଦ୍ରବ୍ୟର ଅର୍ଥକାରୀ ଚାହିଦା ସମ୍ପ୍ରତି ଏହାର ଚାଷ ଏବଂ ବ୍ୟବସାୟକୁ ବହୁଳ ଭାବେ ପ୍ରଭାବିତ କରୁଅଛି । ଅଞ୍ଚଳ ବିଶେଷରେ ଜଙ୍ଗଲ ପ୍ରବଣ ଅଧ୍ୟୁଷିତ ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରୋତ୍ସାହନରେ ସ୍ଥାନୀୟ ନିରୀହ ଅଧିବାସୀଙ୍କ ଗଞ୍ଜେଇ ଚାଷ ଓ ବ୍ୟବସାୟରେ ସହାୟତା ମାଫିଆଙ୍କୁ ଲାଭ ପହଞ୍ଚାଉଥିବା ବେଳେ ବିଭାଗୀୟ ଧରପଗଡ ସମୟରେ ଖଟିଖିଆ ନିରୀହ ଶ୍ରମିକଟିଏ ପୋଲିସ କିମ୍ବା ଅବକାରୀ ବିଭାଗ ଦ୍ଵାରା ଧରାପଡ଼ି ଜେଲ ଯାଉଥିବା ସାଧାରଣ ଘଟଣା ହେଉଅଛି । ନିଷିଦ୍ଧ ଗଞ୍ଜେଇ ନିଶା ବ୍ୟବହାର ବୃଦ୍ଧି ପାଇବା ଯୋଗୁଁ ଅସାମାଜିକ ତତ୍ତ୍ଵଙ୍କ ପ୍ରାଦୁର୍ଭାବ ଅଞ୍ଚଳରେ ଆଇନ ଶୃଙ୍ଖଳା ସ୍ଥିତିକୁ ଜଟିଳ କରୁଅଛି । ପରନ୍ତୁ ଏହି ମାରାତ୍ମକ ନିଶାଦ୍ରବ୍ୟ ଗଞ୍ଜେଇ ଚାଷ ଓ ବ୍ୟବସାୟ ବହୁଳ ଅଞ୍ଚଳ ଅଧିବାସୀଙ୍କୁ ଏଥିରୁ ନିବୃତ କରାଇ ଲାଭଜନକ ଫସଲ ଚାଷ ଓ ବ୍ୟବସାୟରେ ସହାୟତା କରିବାକୁ ରାଜ୍ୟ ସରକାର ସ୍ବତନ୍ତ୍ର ଯୋଜନା ପ୍ରଣୟନ କରିଛନ୍ତି । ଉଭୟ ପୋଲିସ ଓ ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଭିତ୍ତିରେ ସମୟୋପଯୋଗି ପଦକ୍ଷେପ ସହ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଉଛି ।

ଏହି କ୍ରମରେ ଗତକାଲି ବୁଧବାର ଦିନ ଗଞ୍ଜାମ ପୋଲିସ ଜିଲ୍ଲା ପାଟପୁର ଥାନା ଅଞ୍ଚଳ ପଟିଗୁଡା ଗ୍ରାମରେ ଥାନା ପକ୍ଷରୁ ଆମ ପୋଲିସ ସମିତିର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ସହ ନିଷିଦ୍ଧ ଓ ବେଆଇନ ନିଶା କାରବାର ଜନିତ ବିଭାଗୀୟ କଟକଣା ଆଧାରରେ ସାଧାରଣରେ ସଚେତନତା କରାଯାଇଅଛି । ପାଟପୁର ଥାନା ଅଧିକାରୀ ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସାନଖେମୁଣ୍ଡି ତହସିଲଦାର ଡ଼ , ଶ୍ରୀନିବାସ ବେହେରା , ମୁଖ୍ୟବକ୍ତା ଭାବେ ସମିତିର ଉପଦେଷ୍ଟା ଅଧ୍ୟାପକ ଡ଼ , କୈଳାସ ଚନ୍ଦ୍ର ସ୍ବାଇଁ , ସଭ୍ୟ ଦୁର୍ଗା ପ୍ରସାଦ ପାଢ଼ୀ , ଦୈନିକ ପ୍ରମେୟ ପ୍ରତିନିଧି ସତ୍ୟନାରାୟଣ ପାଢ଼ୀଙ୍କ ସହ ଅଞ୍ଚଳ ବିଶିଷ୍ଟ ବ୍ୟକ୍ତିତ୍ଵ ପଟିଗୁଡ଼ା ପୂର୍ବତନ ସରପଞ୍ଚ ସିମଞ୍ଚଳ ଗୌଡ଼ , ବିପ୍ର ଦଳେଇ ପ୍ରମୁଖ ମଞ୍ଚାସୀନ ରହି ଅଞ୍ଚଳରେ ଗଞ୍ଜେଇ ଚାଷ ଓ ଗଞ୍ଜେଇ ଜନିତ ବ୍ୟବସାୟକୁ ନେଇ ଉପୁଜିଥିବା ସାମାଜିକ ଅସ୍ଥିରତା ଓ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ସାଧାରଣରେ ଆଲୋଚନା କରିଥିଲେ । ଆସନ୍ନ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ପ୍ରଶାସନ ପକ୍ଷରୁ ଭୋଟରଙ୍କ ସଚେତନତାକୁ ଗୁରୁତ୍ଵ ଦିଆଯାଉଥିବାରୁ ସଚେତନ ନାଗରିକ ଭାବେ ଶତପ୍ରତିଶତ ଭୋଟ ଦାନକୁ ପ୍ରୋତ୍ସାହିତ କରିବା , ସଠିକ୍ ପ୍ରାର୍ଥୀଙ୍କୁ ଭୋଟ ଦେବା , ସରକାରଙ୍କ ସାଧାରଣ ନାଗରିକଙ୍କ ପ୍ରତି ଥିବା ନିର୍ବାଚନୀ ଆଚରଣ ବିଧି ପାଳନ କରିବା ନେଇ ମଧ୍ୟ ଉପସ୍ଥିତ ସାଧାରଣରେ ସଚେତନା କରାଯାଇଥିଲା । ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଟିଗୁଡା ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟଙ୍କ ସହ ସଚେତନ ବୁଦ୍ଧିଜୀବୀ ମଣ୍ଡଳୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସିମାଞ୍ଚଳ ପାତ୍ର , ଲକ୍ଷ୍ମଣ ପଣ୍ଡା , ନିରଞ୍ଜନ ନାୟକ , ଉତ୍ସବ ନାୟକ , ରାମ ପ୍ରଧାନ , ଶିବରାମ ଡାକୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ ।

LEAVE A REPLY

Please enter your comment!
Please enter your name here