ପୁରୀ ରଥଯାତ୍ରାବେଳେ ରେଳଯାତ୍ରୀଙ୍କ ସୁରକ୍ଷା ପାଇଁ ସମୀକ୍ଷା ବୈଠକ କୁମ୍ଭମେଳାରେ ଆହ୍ଲାବାଦ ଭଳି ଅଘଟଣ ନହେବା ପାଇଁ ବିଶେଷ ବ୍ୟବସ୍ଥା ଉପରେ ଗୁରୁତ୍ୱ

0
360

ପୁରୀ,୦୧/୦୬/୨୦୨୨:
ଏଥର ରଥଯାତ୍ରା ବେଳେ ଦୈନିକ ଚାଳିଶରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଯାତ୍ରୀଙ୍କୁ ନେଇ ପୁରୀ ଆସିବ I କୁମ୍ଭମେଳା ବେଳେ ଆହ୍ଲାବାଦ ଷ୍ଟେସନରେ ଦଳାଚକଟା ଓ ମୁମ୍ବାଇ ଲୋକାଲ ଟ୍ରେନରେ ଅଘଟଣକୁ ଦୃଷ୍ଟିରେ ରଖି ପର୍ୟାପ୍ତ ପୋଲିସ ବନ୍ଦୋବସ୍ତ କରିବାକୁ ରେଳ ଓ ତଟ ସୁରକ୍ଷାର ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ଡ଼ଃ ସୁଧାଂଶୁ ଷଡ଼ଙ୍ଗୀ ଉଭୟ ରେଳ ସୁରକ୍ଷା ବଳ ଓ ସରକାରୀ ରେଲୱେ ପୋଲିସର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି I ଏଥିପାଇଁ ପୁରୀ ଷ୍ଟେସନରେ ପ୍ରବେଶ ଓ ପ୍ରସ୍ଥାନକୁ ଅଲଗା କରାଯିବ I ଭିଡ଼କୁ ଦୃଷ୍ଟିରେ ରଖି ମାଳତୀପାଟପୁର ରେଳ ଷ୍ଟେସନରୁ ଟ୍ରେନ ମାନଙ୍କୁ ନିୟନ୍ତ୍ରଣ କରାଯିବ I କିଛି ଅଘଟଣ ଘଟିଲେ ତାହାକୁ ସମ୍ମୁଖୀନ ହେବାପାଇଁ ପୋଲିସ କର୍ମଚାରୀମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯିବ I ରଥଯାତ୍ରା ଦିନ ପ୍ରାୟ ଦୁଇ ଲକ୍ଷ ଯାତ୍ରୀ ପୁରୀ ଷ୍ଟେସନ ଦେଇ ଯାତାୟାତ କରିବେ ବୋଲି ଆକଳନ କରାଯାଇଛି I
ଆଜିର ସମନ୍ୱୟ ବୈଠକରେ ରେଳ ସୁରକ୍ଷା ବଳର ଆଇଜି ଶ୍ରୀ ଯୁଗଳ ଯୋଶୀ , ରେଲୱେ ଏସ.ପି ଶ୍ରୀ ସୁନୀଲ କୁମାର ଆଚାର୍ଯ୍ୟ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ I ଡଃ ଷଡ଼ଙ୍ଗୀ ଓ ଅନ୍ୟ ଅଧିକାରୀମାନେ ପୁରୀ ଓ ମାଳତୀପାଟପୁର ଷ୍ଟେସନ ପରିଦର୍ଶନ କରିବା ସଙ୍ଗେ ସଙ୍ଗେ ଅତିରିକ୍ତ ଡିଜି ଆଇନ ଶୃଙ୍ଖଳା ଶ୍ରୀ ରାଧାକୃଷ୍ଣ ଶର୍ମା, କେନ୍ଦ୍ରାଞ୍ଚଳ ଆଇ. ଜି ଶ୍ରୀ ନରସିଂହ ଭୋଳ ଓ ପୁରୀ ଏସ.ପି ଡଃ ବିଶାଳ ସିଂହଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି I
ଆଲୋଚନା ବେଳେ ଯାତ୍ରୀଙ୍କୁ ଆବଶ୍ୟକୀୟ ତଥ୍ୟ ଯୋଗାଇଲେ ଭିଡ଼ ନିୟନ୍ତ୍ରଣ ସହଜ ହେବ ବୋଲି ମତ ପ୍ରକାଶିତ ହୋଉଛି I ରେଲୱେ ତରଫରୁ ସିସି ଟିଭି ବନ୍ଦୋବସ୍ତ କରାଯିବା ସଙ୍ଗେ ସଙ୍ଗେ ଯାତ୍ରୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା ବୈଠକରେ ସୂଚିତ କରାଯାଇଛି I ବରିଷ୍ଠ ଅଧିକାରୀମାନେ ବ୍ୟକ୍ତିଗତଭାବେ ଉପସ୍ଥିତ ରହି ସମସ୍ତ ସୁରକ୍ଷା ବନ୍ଦୋବସ୍ତର ତଦାରଖ କରିବା ପାଇଁ ନିଷ୍ପତି କରାଯାଇଛି I ଦୁଇ ବର୍ଷ ପରେ ଯାତ୍ରୀ ସମାଗମ ହେଉଥିବା ଯୋଗୁଁ ଏଥର ଅନ୍ୟ ବର୍ଷ ତୁଳନାରେ ଅଧିକ ଯାତ୍ରୀ ସମାଗମ ହେବା ଆକଳନ କରାଯାଇଛି I

LEAVE A REPLY

Please enter your comment!
Please enter your name here