ଏକାଦଶ ରାଜ୍ୟସ୍ତରୀୟ ଓଡ଼ିଶୀ ଶାସ୍ତ୍ରୀୟ ସଂଗୀତ ଉତ୍ସବ ଅନୁଷ୍ଠିତ ‘ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତାପାଇଁ ସମ୍ମିଳିତ ସ୍ୱର ସହ ସହମତି ହେଉ’

0
160

ବ୍ରହ୍ମପୁର, ୨୨/୦୬/୨୦୨୨ : ଶାସ୍ତ୍ରୀୟ ମାନ୍ୟତା ସହ ସର୍ବଭାରତୀୟ ସ୍ବୀକୃତି ନିମନ୍ତେ ଓଡ଼ିଶୀ ସଂଗୀତରେ ସମସ୍ତ ବିଶେଷତା ଓ ସ୍ୱତନ୍ତ୍ରତା ରହିଆସିଛି l ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ଆମ ସଂଗୀତର ଶାସ୍ତ୍ରୀୟତା ପ୍ରତିପାଦନ କରିବାକୁ ଆହୁରି ନିଷ୍ଠାପର ପ୍ରଣାଳୀବଦ୍ଧ ପ୍ରୟାସ ଓ ଗବେଷଣା ହେବା ଆବଶ୍ୟକ l ଏ ଦିଗରେ ପ୍ରତ୍ୟେକ ସ୍ୱାଭିମାନୀ ଓଡ଼ିଆ ସମ୍ମିଳିତ ଭାବେ ସ୍ୱର ଉତ୍ତୋଳନ ସହିତ ସହମତି ପ୍ରକାଶ ପାଉ ବୋଲି ଓଡ଼ିଶାର ମୂର୍ଦ୍ଧନ୍ୟ ଓଡ଼ିଶୀ ଗୁରୁମାନେ ମତପ୍ରକାଶ କରିଛନ୍ତି l
ଓଡ଼ିଶୀ ଶାସ୍ତ୍ରୀୟ ସଂଗୀତ ଓ ନୃତ୍ୟ ଗବେଷଣା କେନ୍ଦ୍ର ଏବଂ ସଂଗୀତ କଳା ନିକେତନର ମିଳିତ ଆନୁକୂଲ୍ୟରେ ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ବୁଧବାର ଅପରାହ୍ଣରେ ଆୟୋଜିତ ଏକାଦଶତମ ରାଜ୍ୟସ୍ତରୀୟ ଓଡ଼ିଶୀ ଶାସ୍ତ୍ରୀୟ ସଂଗୀତ ଉତ୍ସବ ଓ ଆଲୋଚନା ଚକ୍ରରେ ଆମନ୍ତ୍ରିତ ଅତିଥି ଓ ଆଲୋଚକ ରୂପେ ଯୋଗଦେଇ ଉପର୍ଯ୍ୟୁକ୍ତ ମର୍ମରେ ଗୁରୁମାନେ ବକ୍ତବ୍ୟ ପ୍ରଦାନ କରିଥିଲେ l ‘ଓଡ଼ିଶୀ ସଂଗୀତ : ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ଶୀର୍ଷକ ଏହି ଆଲୋଚନା ଚକ୍ରରେ ବିଶିଷ୍ଟ ନାଟ୍ୟକାର ପ୍ରଫେସର୍ ମେଜର୍ ରମାରମଣ ପାଢ଼ୀ ପୌରୋହିତ୍ୟ କରିଥିଲେ l ଆଲୋଚନାରେ ଅଂଶ ଗ୍ରହଣ କରି ରାଜ୍ୟର ବିଶିଷ୍ଟ ଓଡ଼ିଶୀ ଗୁରୁ ପଣ୍ଡିତ ହରମୋହନ ଖୁଣ୍ଟିଆ, ଗୁରୁ ବଂଶୀଧର ପଣ୍ଡା, ଗୁରୁ ଚନ୍ଦ୍ରମଣି ଲେଙ୍କା, ଗୁରୁ ରବୀନ୍ଦ୍ର ନାଥ ମିଶ୍ର, ଗୁରୁ ରାବିଶଙ୍କର ପ୍ରଧାନ, ଆଚାର୍ଯ୍ୟ ସୀମାଞ୍ଚଳ ଦାଶ, ଗୁରୁ ଶତ୍ରୁଘ୍ନ ନାୟକ, ଗୁରୁ ବନ୍ଦିତା ରାୟ, ଗୁରୁ ଅଜୟ ବାରିକ, ଗୁରୁ କେ. ବାଇରି ପାତ୍ର, ଗୁରୁ ଶିବରାମ ରଣା, ଗୁରୁ ଲୋକନାଥ ମହାନ୍ତି ଓ ଗୁରୁ ମାଧବ ଶ୍ରୀଚନ୍ଦନ ସାହୁ ପ୍ରମୁଖ ଓଡ଼ିଶୀ ସଂଗୀତର ସ୍ୱତନ୍ତ୍ରତା ଓ ମୌଳିକତା ସୂଚକ ବହୁବିଧ ଦିଗ ଓ ବିନ୍ଦୁ ଉପରେ ସବିଶେଷ ଆଲୋଚନା କରିଥିଲେ l
ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା l ଗବେଷଣା କେନ୍ଦ୍ରର ପ୍ରତିଷ୍ଠାତା ସମ୍ପାଦକ ଗୁରୁ ଶଙ୍କର୍ଷଣ ପାତ୍ର ସ୍ୱାଗତ ଭାଷଣ ସହ ଏଭଳି ଆଲୋଚନା ଚକ୍ର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ l ସୁଖ୍ୟାତ ସାଂସ୍କୃତିକ ସଂଯୋଜକ ଡ. ମୃତ୍ୟୁଞ୍ଜୟ ରଥଙ୍କ ହୃଦୟସ୍ପର୍ଶୀ ସଂଯୋଜନାରେ ସଂଚାଳିତ ଏହି ଆଲୋଚନା ଚକ୍ରରେ ଉପସ୍ଥାପିତ ମତ ଓ ମନ୍ତବ୍ୟର ସାମଗ୍ରିକ ସମୀକ୍ଷା କରିଥିଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ମୁଖ୍ୟ ଡ. କୁଳମଣି ଓଝା ।ସନ୍ଧ୍ୟାରେ ଆୟୋଜିତ ଉଦଘାଟନୀ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମେଜର୍ ରମାରମଣ ପାଢ଼ୀ ଅଧ୍ୟକ୍ଷତା କରିଥିଲେ l ଏହି ଉତ୍ସବରେ ଓଡ଼ିଶୀ ସଂଗୀତର ଖ୍ୟାତିସମ୍ପନ୍ନ ଉପର୍ଯ୍ୟୁକ୍ତ ଗୁରୁମାନଙ୍କୁ ପ୍ରଶସ୍ତିପତ୍ର ଓ ଉପାୟନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରା ଯାଇଥିଲା l
ଏହି ଉତ୍ସବରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମୁଖ୍ୟଅତିଥି, ମେୟର୍ ସଂଘମିତ୍ରା ଦଳେଇ, ପ୍ରାକ୍ତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପରିବେଶବିତ୍ ସୁବାସ ମହାରଣା, ଅଧିବକ୍ତା ନାରାୟଣ ପଣ୍ଡା ଓ ଦେବେଶ ସାମନ୍ତରାୟ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଓଡ଼ିଶୀ ସଂଗୀତ ମୌଳିକତା ବଜାୟ ରଖିବା ସହ ଏ ଦିଗରେ ଫଳପ୍ରଦ ଗବେଷଣା କରିବାକୁ ପରାମର୍ଶ ଦେଇଥିଲେ l ଗୁରୁ ଶଙ୍କର୍ଷଣ ପାତ୍ର ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l
ପରିଶେଷରେ ଗୁରୁ ବନ୍ଦିତା ରାୟ, ଗୁରୁ ଚନ୍ଦ୍ରମଣି ଲେଙ୍କା, ଗୁରୁ ରବୀନ୍ଦ୍ର ନାଥ ମିଶ୍ର, ଗୁରୁ ଲୋକନାଥ ମହାନ୍ତି, ଗୁରୁ ଆଚାର୍ଯ୍ୟ ସୀମାଞ୍ଚଳ ଦାଶ, ଗୁରୁ ବଂଶୀଧର ପଣ୍ଡା ପ୍ରମୁଖ ଶାସ୍ତ୍ରୀୟ ଓଡ଼ିଶୀ ସଂଗୀତ ପରିବେଷଣ କରି ସମବେତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ l ମର୍ଦ୍ଦଳରେ ପଣ୍ଡିତ ହରମୋହନ ଖୁଣ୍ଟିଆ, ବେହେଲାରେ ଗୁରୁ ଅଜୟ ବାରିକ, ସୀତାରରେ ଗୁରୁ ରବି ଶଙ୍କର ପ୍ରଧାନ, ହରମୋନିୟମରେ ଗୁରୁ ଶିବରାମ ରଣା ପ୍ରମୁଖ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here