ବ୍ରଜନଗର ଟାୱାର ଲାଇନ ରାସ୍ତା ନିର୍ମାଣ ନେଇ ବ୍ରଜନଗର ଉନ୍ନୟନ ପରିଷଦର ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ ।

0
136

ବ୍ରହ୍ମପୁର,୨୪/୧/୨୦୨୩:ଆଜି ବ୍ରଜନଗର ଉନ୍ନୟନ ପରିଷଦ ତରଫରୁ ଏହାର ସଭାପତି ଡ ଶିବ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ବ୍ରଜନଗର ଟାୱାର ଲାଇନ ରାସ୍ତାର ଦୂରବସ୍ଥା ଏବଂ ଏହାର ନିର୍ମାଣ ଓ ମରାମତି ନେଇ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏ ନେଇ ଏକ ଦାବୀ ପତ୍ର ପ୍ରଦାନ କରି ତୁରନ୍ତ ଉକ୍ତ ରାସ୍ତାର ଶୋଚନୀୟ ଅବସ୍ଥାକୁ ଦୃଷ୍ଟିରେ ରଖି ମରାମତି ଓ ନିର୍ମାଣ କାମ ଆରମ୍ଭ କରିବାକୁ ନିବେଦନ କରିଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ ଲୋଚପଡା ରୋଡର ବ୍ରଜନଗର ତୃତୀୟ ଗଳିର ପ୍ରବେଶ ପଥ ମୁହଁରେ ଥିବା ରାଧାକୃଷ୍ଣ ମନ୍ଦିର ନିକଟରୁ ଆରମ୍ଭ ହୋଇଥିବା ଦୀର୍ଘ ଦେଢ଼ କିଲୋମିଟର ବ୍ୟାପୀ ଏହି ରାସ୍ତାଟି ଜ୍ୟୋତି ନଗର, ବ୍ୟାଙ୍କ କଲୋନୀ ଏବଂ ବାପୁଜୀ ନଗର ପ୍ରଭୁତି ଛକ ଅତିକ୍ରମ କରି ଦେଇ ଭାବିନୀପୁର ରୋଡର ସିଦ୍ଧାର୍ଥ ନଗର ଛକ ପର୍ଯ୍ୟନ୍ତ ଲମ୍ବି ମେଡିକାଲ ରାସ୍ତାକୁ ସଂଯୋଗ କରୁଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଦୀର୍ଘ ତିରିଶି ବର୍ଷ ତଳେ ତିଆରି ହୋଇଥିବା ରାସ୍ତାଟି ଭାଙ୍ଗି ରୁଜି ଯାଇ ଅତି କର୍ଦର୍ଯ୍ୟ ଏବଂ ବିପର୍ଯ୍ୟସ୍ତ ହେଇ ଯାତାୟାତ ପାଇଁ ସମ୍ପୂର୍ଣ ଅନୁପଯୋଗୀ ହେଇପଡ଼ିଛି।ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ବିଶେଷକରି ଗ୍ରାମାଞ୍ଚଳ ଲୋକ ମେଡିକାଲ ଯିବାକୁ ଏହି ରାସ୍ତାଟିକୁ ବ୍ୟବହାର କରନ୍ତି। ଆଖପାଖ ଅଞ୍ଚଳରେ ଅବସ୍ଥିତ ଶହ ଶହ ଗ୍ରାମର ଲୋକେ ଏହାକୁ ସହରକୁ ପ୍ରବେଶ ପଥ ରୂପେ ବ୍ୟବହାର କରିଥାନ୍ତି।ଏହି ଗୁରୁତ୍ତ୍ୱପୂର୍ଣ୍ଣ ରାସ୍ତାଟି ଉପରେ ପ୍ରତିଦିନ ହଜାର ହଜାର ଲୋକ ନିର୍ଭର କରନ୍ତି। ଫଳରେ ରାସ୍ତାର ଏହି ଦୂରବସ୍ଥା କାରଣରୁ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟି ଖଣ୍ଡିଆ ଖାବରା ହେଉଥିବାର ପରିଲକ୍ଷିତ ହୋଇଥାଏ। ରାସ୍ତାଟିର ଏଭଳି ଦୂରବସ୍ଥା ପାଇଁ ଏଲ ଏଣ୍ଡ ଟି କମ୍ପାନୀ କିଛି ପରିମାଣରେ ଦାୟୀ ।ପ୍ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଏହି ରାସ୍ତାଟି ର ରକ୍ଷଣା ବେକ୍ଷଣା ଏବଂ ମରାମତି ଦାୟିତ୍ଵ ଉକ୍ତ ବିଭାଗ ଅଧୀନରେ ଥିଲା।କିନ୍ତୁ ଇତିମଧ୍ୟରେ ଉକ୍ତ ରାସ୍ତାଟିକୁ ଗତ ତା ୦୧/୧୨/୨୦୨୧ ରିଖରୁ ସରକାରଙ୍କ ତରଫରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତରୁ ବାହାର କରି ରକ୍ଷଣାବେକ୍ଷଣା , ମରାମତି ଏବଂ ପରିଚାଳନା ସକାଶେ ବ୍ରହ୍ମପୁର ମହାନଗର ନିଗମକୁ ଦାୟିତ୍ଵ ହସ୍ତାନ୍ତର କରାଯାଇଛି। ଦୀର୍ଘ ଦୁଇ ବର୍ଷ ହେଲା ଉକ୍ତ ରାସ୍ତାଟିକୁ ସରକାରଙ୍କ ତରଫରୁ ବିଏମସିକୁ ହସ୍ତାନ୍ତର କରାଯାଇଥିଲେ ସୁଦ୍ଧା ମହାନଗର ନିଗମ ତରଫରୁ ଆଜି ପର୍ଯ୍ୟନ୍ତ ତାହାକୁ ଅଧିଗ୍ରହଣ କରାଯାଇ ନାହିଁ କିମ୍ବା ମରାମତି ପାଇଁ ପଦକ୍ଷେପ ନିଆ ଯାଇନଥିବାରୁ ଆଜି ପରିଷଦ ତରଫରୁ ଜିଲ୍ଲାପାଳଙ୍କୁ ଅବଗତ କରାଯିବା ସହ ତୁରନ୍ତ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା। ଦାବୀ ପତ୍ର ଗ୍ରହଣ କରି ଦୁଇ ତିନି ମାସ ମଧ୍ୟରେ ଉକ୍ତ ରାସ୍ତା ନିର୍ମାଣ କାମ ଆରମ୍ଭ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପରିଷଦ କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଆଜିର ଦାବୀ ପତ୍ର ପ୍ରଦାନ ସମୟରେ ସଭାପତିଙ୍କ ବ୍ୟତୀତ କାର୍ଯ୍ୟକାରୀ ସଭାପତି ଗଣେଶ ଚନ୍ଦ୍ର ଦାସ, ଉପସଭାପତି ନାରାୟଣ ଚନ୍ଦ୍ର ପାଇଛା, ସମ୍ପାଦକ ସଞ୍ଜୀବ କୁମାର ପଟ୍ଟନାୟକ, ସାଂଗଠାନିକ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରୀ, ଯୁଗ୍ମ ସମ୍ପାଦକ ଟି ସୁଦେସ କୁମାର ପାତ୍ର, ସଂଯୋଜକ ଶ୍ରୀମନ୍ତ ପାଣିଗ୍ରାହୀ, କୋଷାଧ୍ୟକ୍ଷ ବି ଭି ସାଗର ଏବଂ ଉପଦେଷ୍ଟା ସୁବାଷ ପାତ୍ର, ରାଜେନ୍ଦ୍ର କୁମାର ଜେନା, ଅଜିତ ପଟ୍ଟନାୟକ,ଏମ ଲାବଣ୍ୟ ପାତ୍ର, ଲିଙ୍ଗରାଜ ସାବତ, କାହ୍ନୁ ଚରଣ ପତି , ବାଳ କୃଷ୍ଠ୍ନ ସାବତ ଓ ପୂର୍ଣ୍ଣ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here