ସାନଖେମୁଣ୍ଡିରେ ମନରେଗାକୁ ନେଇ ତେଜୁଛି ଅସନ୍ତୋଷ । ଜିଲ୍ଲାପାଳ ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରେ ଅଭିଯୋଗ ।

0
144

ବ୍ରହ୍ମପୁର , ୨୪/୦୧/୨୦୨୩: ସର୍ବ ଭାରତୀୟ ସ୍ତରରେ ମନରେଗା ଯୋଜନାର ଶ୍ରମ ଦିବସ ସୃଷ୍ଟିରେ ଗଞ୍ଜାମ ଜିଲ୍ଲା ପ୍ରଥମ ହୋଇଥିଲା ବେଳେ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଧାର୍ଯ୍ୟ ଲକ୍ଷର ୯୦ ପ୍ରତିଶତ ସଫଳତା ପାଇଥିବା ସ୍ପଷ୍ଟ କରାଯାଇଛି । ଏହା ସହ ଏହି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବ୍ଲକର ୪୫୨୬ ପରିବାରକୁ ୧୦୦ ଦିନର କାର୍ଯ୍ୟ ଦିବସ ପ୍ରଦାନ କରି ଏହି କ୍ଷେତ୍ରରେ ମଧ୍ୟ ନଂ – ୧ ସ୍ଥାନ ବଜାୟ ରଖିଥିବା ସରକାରୀ ତଥ୍ୟ ରହିଛି । ଜିଲାୱାରି ଏହି ସରକାରୀ ତଥ୍ୟ ପ୍ରକାରେ ଗଞ୍ଜାମ ଜିଲ୍ଲାରେ ସାନଖେମୁଣ୍ଡି ବ୍ଲକାକୁ ଶ୍ରେୟ ମିଳିବା ଚର୍ଚ୍ଚାରେ କର୍ତବ୍ୟରତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ବାହାବା ମାରୁଥିଲା ବେଳେ ବାସ୍ତବରେ ଏହା ସାନଖେମୁଣ୍ଡି ବ୍ଲକର ଖଟିଖିଆ ମଜୁରିଆଙ୍କ ପ୍ରତି ନିର୍ଦ୍ଧିଷ୍ଟ ଗୋଷ୍ଠୀଙ୍କ ପ୍ରାଦୁର୍ଭାବ ଭାବେ ଆଲୋଚିତ ହେଉଅଛି । ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ଶ୍ରମିକଙ୍କୁ ନିୟୋଜିତ କରି କାମ ସରିଗଲା ପରେ କାମରେ ନିୟୋଜିତ ନଥିବା ବ୍ୟକ୍ତି ବିଶେଷଙ୍କ ବ୍ୟାଙ୍କ୍ ଖାତାକୁ ଶ୍ରମିକ ପାଉଣା ପଠାଯାଉଥିବା ଅଭିଯୋଗ ନିରନ୍ତନ ହେଉଅଛି ।ଶ୍ରମିକ ନିୟୋଜନ ଥିବା ମନରେଗା ପ୍ରକଳ୍ପର ଠିକଣା ନଥିବା ବେଳେ ରାତାରାତି ଜେସିବି ଦ୍ଵାରା ପ୍ରାୟ ଜଳାଶୟ ବନ୍ଧକୁ କାଟି ପାଣି ନିଷ୍କାସନ ସହ ମାଟି ମୋରୁମ୍ ଖୋଳି ବାହାର କରାଯାଇ ଟ୍ରାକ୍ଟର ଦ୍ଵାରା ପ୍ଲଟିଂ ରେ ପକାଯାଇ ନିର୍ଦ୍ଧୁମ ରାଜସ୍ବ ହରିଲୁଟ ସହ ମନରେଗା ପାଉଣା ହାତାଉଥିବା ଅଭିଯୋଗ ହେଉଅଛି । ଏ ନେଇ ସାଧାରଣଙ୍କ ଅଭିଯୋଗକୁ ପ୍ରଶାସନ ଜାଣିଶୁଣି ଅଣଦେଖା କରିବା ସହ କୌଣସି ପ୍ରକଳ୍ପରେ ଯୋଜନାର ସୂଚନା ଫଳକ କିମ୍ବା ନିୟୋଜିତ ଶ୍ରମିକଙ୍କ ଦେଖା ମିଳୁନାହିଁ । ପଞ୍ଚାୟତ ଅଞ୍ଚଳ ଶ୍ରମିକ ନିଜ ପାଇଁ କାମ ଚାହୁଁଥିବା ବେଳେ ସେମାନଙ୍କ କାମକୁ ମେସିନ କରୁଥିବା ନେଇ ମଧ୍ୟ ବହୁ ସମୟରେ ଅଭିଯୋଗ କରିଛନ୍ତି । ସଦ୍ୟ ସୂଚନା କ୍ରମରେ ବ୍ଲକର ସୀଙ୍ଗିପୁର ପଞ୍ଚାୟତର ମନରେଗା କାମକୁ ନେଇ ସୁନାଖଣ୍ଡି ଗ୍ରାମବାସୀ ପ୍ରବଳ ବିରୋଧ କରିଛନ୍ତି । ଗ୍ରାମର ନୂଆ ଗୁଡ଼ାରୀ ବନ୍ଧର ଉନ୍ନତିକରଣ କାର୍ଯ୍ୟ ନାମରେ ପଞ୍ଚାୟତର ସରପଞ୍ଚ ଗୋଷ୍ଠୀ ରାତାରାତି ଜେଶିବି ଦ୍ଵାରା ବନ୍ଧ କାଟି ପାଣିକୁ ନିଷ୍କାସନ କରିବା ଯୋଗୁଁ ସେମାନଙ୍କ ଫସଲ ହାନି ଘଟିଥିବା ଏବଂ ବନ୍ଧର ମାଟି ମୋରୁମ୍ ଆଦିକୁ ଟ୍ରାକ୍ଟର ଲଗାଇ ବାହାର କରୁଥିବା ଅଭିଯୋଗ କରିଛନ୍ତି । ସୁନାଖଣ୍ଡି ମୌଜାର ଖାତା ନଂ – ୧୨୭ , ପ୍ଲଟ ନଂ – ୪ କୁ ସଂପୃକ୍ତ ଗୋଷ୍ଠୀ ବିନା ସୂଚନା ଫଳକ ଏବଂ ବିନା ଶ୍ରମିକ ନିୟୋଜନରେ ବେଧଡକ କାର୍ଯ୍ୟ ଚାଲୁ ରହିଥିବାରୁ ଏ ନେଇ ସେମାନେ ସ୍ଥାନୀୟ ବିଡ଼ିଓ , ତହସିଲଦାର , ଥାନା ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି । ଏହା ସହ ଏହି କାର୍ଯ୍ୟର ସ୍ଥିତାବସ୍ଥା ନେଇ ଗଞ୍ଜାମ ଜିଲ୍ଲାପାଳ , ଜିଲ୍ଲା ମନରେଗା ପ୍ରକଳ୍ପ ନିର୍ଦ୍ଦେଶକ , ରାଜସ୍ବ ସଚିବ , ୫ ତି ସଚିବଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି । ପଞ୍ଚାୟତରେ ଚାଲିଥିବା ମନରେଗା କାର୍ଯ୍ୟକୁ ସମ୍ପାଦନା କରୁଥିବା ସଂସ୍ଥାର ଠିକଣା ଖୋଜିବା ନେଇ ସେମାନେ ସନ୍ଦିହାନ ହେଉଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିହିତ ପଦକ୍ଷେପକୁ ନେଇ ଗ୍ରାମବାସୀ ମିଳିତ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here