ରାଜ୍ୟରେ ସାଇବର ଅପରାଧ ରୋକିବାକୁ ସ୍ବତନ୍ତ୍ର ପ୍ରୟାସ।୧୯୩୦ କୁ କଲ୍ କରି ଜଣାଇ ପାରିବେ। ସାଇବର ଅପରାଧ ସଂପର୍କିତ ଅଭିଯୋଗ ତୃଣମୂଳସ୍ତରୁ ସଚେତନତା ସୃଷ୍ଟି ପାଇଁ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ବାରୋପ

0
153

ଭୁବନେଶ୍ୱର, ୩୧/୦୧/୨୩

ରାଜ୍ୟରେ ସାଇବର ଅପରାଧ ରୋକିବାକୁ ସରକାରୀ ସ୍ତରରେ ଯାରି ପ୍ରୟାସକୁ ଆହୁରି ବ୍ୟାପକ କରାଯିବ । ଦୈନିକ ଆର୍ଥିକ ଏବଂ ମହିଳା ଓ ଶିଶୁମାନଙ୍କ ଉପରେ ଯୌନଜନିତ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥ୍ ନିମନ୍ତେ ଏକ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ତୃଣମୂଳ ସ୍ତରରେ ସାଇବର ଅପରାଧ ବିରୋଧ୍ବ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବାରୋପ କରିଛନ୍ତି ।ବିଶେଷକରି ବୃଦ୍ଧବୃଦ୍ଧା, ଛାତ୍ରଛାତ୍ରୀ, ଆଶା ଓ ଅଙ୍ଗନୱାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ସମେତ ଉକ୍ତ ଅଭିଯାନରେ ସବୁ ବର୍ଗକୁ ସାମିଲ କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି । ଏଥ୍ ନିମନ୍ତେ ୩୪ଟି ସଚେତନତା ରଥ ରାଜ୍ୟର ପ୍ରତ୍ୟେକ ଥାନାକୁ ଗସ୍ତ କରି ଭିଡ଼ିଓ ଅଡ଼ିଓ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରିବ । ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରର କାନ୍ଥରେ ପେଣ୍ଟିଂ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ । ଏପରିକି ବିଦ୍ୟାଳୟ ସ୍ତରରେ ଅଭିଭାବକ-ଶିକ୍ଷକ ମାନଙ୍କ ବୈଠକରେ ସାଇବର କ୍ରାଇମ
ପ୍ରତି ସଚେତନ ରହିବାକୁ ମଧ୍ୟ ଆଲୋଚନା ହେବ । ଅର୍ଥ ନେଣଦେଣ ପୂର୍ବରୁ ସତ୍ୟତା ଯାଞ୍ଚ କରିବା, ଅଜଣା ବ୍ୟକ୍ତିଙ୍କ ସହ ଅନାବଶ୍ୟକ ବନ୍ଧୁତା ରକ୍ଷା ନକରିବା, ଅଜଣା ଏସ୍.ଏମ୍.ଏସ୍, ଲିଙ୍କ କିମ୍ବା ସନ୍ଦେହାତ୍ମକ ଆପ୍ ଡାଉନଲୋଡ ନକରିବା ଉପରେ ମୁଖ୍ୟତଃ ସଚେତନ ସୃଷ୍ଟି କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା ।ଉଭୟ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ମଧ୍ୟ ଅଭିଯାନ ଯାରି ରହିବ । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ନିୟମିତ ଭାବେ ସାଇବର ଅପରାଧ ନିୟନ୍ତ୍ରଣ ଜନିତ ବାର୍ତ୍ତା ପ୍ରଦାନ କରାଯିବ । ଏଥି ନିମନ୍ତେ ବିଭିନ୍ନ ଆଲୋଚନା ଚକ୍ରର ମଧ୍ୟ ଆୟୋଜନ କରାଯିବ । ଏପରିକି “ସଚେତନ ରହିବା ଏବଂ ସୁରକ୍ଷିତ ରହିବା-ସାଇବର ଅପରାଧ ମୁକ୍ତ ଓଡ଼ିଶା” ଉପରେ ରୋଡ ରନ, ସାଇକ୍ଲୋଥନ, ଶୋଭାଯାତ୍ରା, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକୃତା, ପ୍ରବନ୍ଧ ଓ କୁଇଜ ପ୍ରତି ଯୋଗିତା ମଧ୍ୟ କରାଯିବ । ଏଭଳି ଅଭିଯାନ ଆରମ୍ଭ କରିବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ ।ସୂଚନାଯୋଗ୍ୟ ଦେଶରେ ୨୦୨୧ ମସିହାରେ ୫୨ ହଜାର ୯୭୫ ମାମଲା ପଞ୍ଜିକୃତ ହୋଇଥିଲା ଯାହା ଏହାର ପୂର୍ବ ବର୍ଷ ଅପେକ୍ଷା ସାଇବର ଅପରାଧଜନିତ ମାମଲାରେ ୫.୯ ପ୍ରତିଶତ ବୃଦ୍ଧି ପାଇଥିଲା ।ସେହିଭଳି ଓଡ଼ିଶାରେ ୨୦୧୯ ମସିହାରେ ୧୪୮୫ଟି, ୨୦୨୦ ରେ ୧୯୩୧ ଏବଂ ୨୦୨୧ ରେ ୨୦୩୭ଟି ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷରେ ସାଇବର ହେଲ୍ସ ଡେସ୍କ ମାଧ୍ୟମରେ ରାଜ୍ୟରେ ୨୦୨୧ ମସିହାରେ ୩୪୦୨ଟି ପିଟିସନ ଗ୍ରହଣ କରାଯାଇଥିବା ବେଳେ ୨୦୨୨ ମସିହାରେ ୭୭୦୦ଟି ପିଟିସନ
ଗ୍ରହଣ କରାଯାଇଛି । କୌଣସି ବ୍ୟକ୍ତି ସାଇବର ଜନିତ ଅପରାଧ ସଂପର୍କରେ ଅଭିଯୋଗ କରିବାକୁ ହେଲେ ୧୯୩୦ ସହ ଯୋଗାଯୋଗ କରି ଅଭିଯୋଗ କରିପାରିବେ ।ଉକ୍ତ ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂ, ଇଲୋକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର, ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଡଃ ସନ୍ତୋଷ ବାଲା, ଡିଜିପି ଶ୍ରୀ ସୁନିଲ ବଂଶଲ, ମିଶନ ଶକ୍ତି ବିଭାଗ ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ବଥ୍‌ ଏସ୍, ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଆଇଜି ଅଫ ପୋଲିସ ସି.ଆଇ.ଡି. ସି.ବି ସିଫିନ୍ ଅହମ୍ମଦ କେ. ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here