ଆସନ୍ନ ମୃତ୍ୟୁରେ ରାଧାନଗରର ଯକ୍ଷ୍ମା ରୋଗୀ ସୁରେନ୍ଦ୍ର, ପହଞ୍ଚି ପାରିନି ପ୍ରଧାନମନ୍ତ୍ରୀଙ୍କ ଯକ୍ଷ୍ମା ହଟାଅ ଅଭିଯାନ

0
153

ସାନଖେମୁଣ୍ଡି , ୨୬/୦୫/୨୦୨୩ :
କେନ୍ଦ୍ର ସରକାରଙ୍କ ଯକ୍ଷ୍ମାମୁକ୍ତ ଭାରତ ଯୋଜନାରେ କୋଟି କୋଟି ଟଙ୍କାର ବଜେଟ ରଖି ସ୍ବାସ୍ଥ୍ୟ ବିଭାଗ ସୌଜନ୍ୟରୁ ବିଭିନ୍ନ ପ୍ରକାରର ସେବା ଓ ସଚେତନତା ଜାରି ରଖିଛନ୍ତି । ଦୁରାରୋଗ୍ୟ ଭାବେ ଗଣାଯାଇଥିବା ଯକ୍ଷ୍ମା ରୋଗର ଆଶୁ ଚିକିତ୍ସା ପାଇଁ ନିଶୁଳ୍କ ନିଦାନ ଓ ଔଷଧ ବ୍ୟବସ୍ଥା ସହ ରୋଗୀଙ୍କୁ ପୃଷ୍ଟିକର ପୋଷଣ ଖାଦ୍ୟର ସୁବିଧା କରୁଥିଲେ ମଧ୍ୟ ଅପହଞ୍ଚ ଇଲାକାରେ ଏହାର ସଫଳତାକୁ ନେଇ ସଂଶୟ ସୃଷ୍ଟି କରିଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥରରେ ଯକ୍ଷ୍ମାରୋଗଜନିତ ଦରକାରୀ ସେବା ଓ ସଚେତନତା ନେଇ ବହୁ ବ୍ୟବସ୍ଥା ରହିଥିଲାବେଳେ ସ୍ଥଳ ବିଶେଷ କର୍ମୀ ଓ କର୍ମଚାରୀଙ୍କ ସମନ୍ୱୟ ଅଭାବରୁ ରୋଗୀ ଚିହ୍ନଟ ଏବଂ ସେବା ଯୋଗାଣରେ ବ୍ୟାପକ ଅନିୟମିତତା ହେଉଅଛି । ଫଳ ସ୍ୱରୂପ ଅଗମ୍ୟ ସ୍ଥାନରେ ରହୁଥିବା ଜନୈକ ନିରୀହ ରୋଗୀ ଉପଯୁକ୍ତ ସେବା ପାଉନଥିବା କାରଣରୁ ମୃତ୍ୟୁକୁ ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ କର୍ତ୍ତୃପକ୍ଷ ତାଙ୍କୁ ପରୀକ୍ଷା ନିରୀକ୍ଷା କରି ଔଷଧ ଦେଇଥିଲେ ମଧ୍ୟ ଅର୍ଥାଭାବ ଏବଂ ଅତ୍ୟଧିକ ଦୁର୍ବଳତା କାରଣରୁ ଔଷଧ ମଧ୍ୟ ଖାଇ ପାରୁନଥିବା ଦେଖିବାକୁ ମିଳିଛି । ଘଟଣାଟି ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ଗଙ୍ଗାପୁର ପଞ୍ଚାୟତର ପାହାଡ଼ ପର୍ବତ ଘେରା ଦଳିତ ବସ୍ତି ରାଧାନଗରର ୬୦ ବର୍ଷୀୟ ସୁରେନ୍ଦ୍ର ନାଇକଙ୍କ କ୍ଷେତ୍ରରେ ଘଟିଥିବା ବେଳେ ସମ୍ପ୍ରତି ଦୁର୍ବଳ ସୁରେନ୍ଦ୍ର ମୃତ୍ୟୁ ଅପେକ୍ଷାରେ ରହିଥିବା ବେଳେ ପରିବାର ଦୁର୍ବିସହ ସ୍ଥିତିରେ ରହିଛନ୍ତି । ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ମୁର୍ମୁସୁ ରୋଗୀକୁ କୋଳରେ ଧରି ସ୍ତ୍ରୀ ରଙ୍ଗବତୀ ଧର୍ଯ୍ୟହରା ହେଉଥିବା ବେଳେ ନାବାଳକ ପୁଅ ଅନ୍ୟର ଛେଳି ମନ୍ଦାରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି । ସୁରେନ୍ଦ୍ରଙ୍କ ପାଞ୍ଚ ଝିଅ ଏବଂ ଗୋଟିଏ ପୁଅ ଥିବା ବେଳେ ସମସ୍ତ ଝିଅ ବିବାହିତ ଅଟନ୍ତି । ଝିଅ ବାହାଘର ପାଇଁ ନିଜର ଜମିକୁ ବନ୍ଧା ପକାଇଥିବା ବେଳେ ଆବାସ ଯୋଜନାରେ ନଥିବାରୁ ତାଙ୍କୁ ଭଙ୍ଗା ଚାଳ କୁଡ଼ିଆରେ ପଡ଼ି ରହିଛନ୍ତି । ଏ ନେଇ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ସହ ଯୋଗାଯୋଗ ହୋଇପାରି ନଥିବା ବେଳେ ସୁରେନ୍ଦ୍ରଙ୍କ ପ୍ରତି ସ୍ୱାସ୍ଥ୍ୟ ବିଭାଗ ସହ ବଦାନ୍ୟ ବ୍ୟକ୍ତିବିଶେଷ ସହାୟତା କରିବାକୁ ଅଞ୍ଚଳ ବୁଦ୍ଧିଜୀବୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here