ମୋଦି ସରକାରଙ୍କ ୯ ବର୍ଷର ମହିଳା କଲ୍ୟାଣକୁ ଗାଁ-ଗାଁକୁ ନେବ ବିଜେପି ମହିଳା ମୋର୍ଚ୍ଚା: ସ୍ମୃତି ପଟ୍ଟନାୟକ

0
69

ଭୁବନେଶ୍ୱର,୦୮/୦୬/୨୦୨୪: ସେବା, ସୁଶାସନ ଓ ଗରୀବ କଲ୍ୟାଣର ଗତ ୯ ବର୍ଷର ମୋଦି ସରକାରରେ ମାଁ ଓ ଭଉଣୀଙ୍କ ସମ୍ମାନକୁ ପ୍ରାଧାନ୍ୟ ଦେଇ ବିଭିନ୍ନ କଲ୍ୟାଣମୁଳକ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି । ସ୍ୱଚ୍ଛଭାରତ ଯୋଜନାରେ ଶୈାଚାଳୟ ନିର୍ମାଣ. ଉଜ୍ଜ୍ୱଳା ଯୋଜନାରେ ରୋଷେଇ ଗ୍ୟାସ ଯୋଗାଇବା, ଗର୍ଭବତୀ ଏବଂ ମାତୃତ୍ୱ ସମୟରେ ମାଁ ଓ ଭଉଣୀଙ୍କୁ ‘ମାତୃତ୍ୱ ବନ୍ଦନା ଯୋଜନା’ରେ ଆର୍ଥୀକ ସହାୟତା ପ୍ରଦାନ, ଭୃଣ ହତ୍ୟାକୁ ରୋକିବା ଉଦ୍ଦେଶ୍ୟରେ ‘ବେଟୀ ବଚାଓ, ବେଟୀ ପଢାଓ ଯୋଜନା, ଝିଅମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ‘ସୁକନ୍ୟା ସମୃଦ୍ଧି’ଯୋଜନା, ‘ଜନଧନ ଆକାଉଂଟ’ ଜରିଆରେ ମାଁ ଓ ଭଉଣୀଙ୍କୁ ଆର୍ଥିକ ବ୍ୟବସ୍ଥା ସହ ଯୋଡିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହିଳାମାନଙ୍କୁ ପ୍ରାଧାନ୍ୟ ଦେବା, ହର୍ ଘର୍ ନଲ୍ ପେ ଜଲ୍ ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଷ୍ଟାର୍ଟଅପ୍ ଯୋଜନାରେ ମହିଳା ଉଦ୍ୟୋଗୀଙ୍କ ପାଇଁ କମ୍ ସୁଧ ହାରରେ ଆର୍ଥୀକ ସହାୟତା ପ୍ରଦାନ ଭଳି ଅନେକ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ବାସ୍ତବରେ ଧନ୍ୟବାଦର ପାତ୍ର ହେଉଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ଥର ପାଇଁ ଜଣେ ଜନଜାତି ବର୍ଗର ମହିଳା ଶ୍ରୀମତୀ ଦ୍ରୈାପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଳଙ୍କୃତ କରିଛନ୍ତି ମୋଦି ସରକାର । ମହିଳା ମୋର୍ଚ୍ଚା ତରଫରୁ ଘରକୁ ଘର ଯାଇ ମୋଦି ସରକାରର ଗତ ୯ ବର୍ଷର ସଫଳତାର ‘ନଅ ସାଲ୍ ବେମିସାଲ୍‌’ ବାର୍ତାକୁ ପହଂଚାଯିବ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି ଯେ, କେନ୍ଦ୍ରରେ ମୋଦି ସରକାର ମହିଳା ସଶକ୍ତୀକରଣ ପାଇଁ ଗୋଟିଏ ପରେ ଗୋଟିଏ ବଳିଷ୍ଠ ପଦକ୍ଷେପ ଗ୍ରହଣ କରି ବିଭିନ୍ନ କଲ୍ୟାଣମୁଳକ ଯୋଜନାକୁ ବାସ୍ତବ ରୂପ ଦେଉଛନ୍ତି । କିନ୍ତୁ ରାଜ୍ୟରେ ବିଜେଡି ସରକାରର ମହିଳା ବିରୋଧୀ ନୀତି କାରଣରୁ ଆଜି ସେ ସମସ୍ତ ଯୋଜନାର ସୁଫଳ ପାଇବାରୁ ରାଜ୍ୟର ଅଗଣିତ ମାଁ ଓ ଭଉଣୀମାନେ ବଂଚିତ ହେଉଛନ୍ତି । ମୋଦିଜୀ ଓଡିଶାକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେଇଛନ୍ତି କିନ୍ତୁ ନବିନ ଶାସନରେ ରାୟଗଡା ଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ରାଜ ରାସ୍ତାରେ ପାଣି ପାଇଁ ଆନ୍ଦୋଳନ । କିନ୍ତୁ ନବୀନ ବାବୁ ଗାଁ ଗାଁରେ ମଦ ଦେକାନ ଖୋଲି ମହିଳାଙ୍କ ସୁଖଶାନ୍ତିର ଘର ଉଜାଡି ପାରୁଛନ୍ତି । ଗଂଜେଇ, ବ୍ରାଉନ ସୁଗାର, ଚରସ ଭଳି ନିଶା ବ୍ୟାପାରୀଙ୍କ ପାଇଁ ଓଡିଶା ଚରାଭୁମୀ ପାଲିଟିଛି । ମହିଳା ନିର୍ଯ୍ୟାତନା ଓ ଅତ୍ୟାଚାର ବଢିଚାଲିଛି । ଅଧିକାଂଶ କ୍ଷେତ୍ରରେ ଶାସକ ବିଜୁ ଜନତା ଦଳର ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତି ଚିନ୍ତାର କାରଣ ସାଜିଥିବାବେଳେ ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ସାଜିଛନ୍ତି । ବିଭିନ୍ନ ମହିଳା ବ୍ୟଭୀଚାରରେ ସଂପୃକ୍ତ ପୂର୍ବତନ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର, ଅରୁଣ ସାହୁ, ଶ୍ରୀକାନ୍ତ ସାହୁ, ବିଧାୟକ ବିଜୟ ଶଂକର ଦାସ, ପ୍ରଣବ ବଳବନ୍ତରାୟ, ଏ ଓ ସଂଦେଓ, ଶଶି ବେହେରା ଏବଂ ଦେବାଶିଶ ସାମନ୍ତରାୟଙ୍କ କେଳେଙ୍କାରୀକୁ ଘଂଟ ଘୋଡାଇ ମୁଖ୍ୟମନ୍ତ୍ରୀ ରାଜ୍ୟର ମାଁ ଓ ଭଉଣୀଙ୍କୁ କଣ ବାର୍ତା ଦେବାକୁ ଚାହୁଁଛନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ମହିଳାଙ୍କ ଆର୍ଥୀକ ସଶକ୍ତିକରଣ ପାଇଁ ଏହି ଯୋଜନା ଜରିଆରେ ସଂପୂର୍ଣ୍ଣ ଟଙ୍କା କେନ୍ଦ୍ର ସରକାର ଯୋଗାଇ ଦେଉଥିବାବେଳେ ରାଜ୍ୟରେ ବିଜେଡି ସରକାର ପ୍ରଚାର ପ୍ରସାର ମାଧ୍ୟମରେ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ମହିଳାମାନଙ୍କୁ ଭୋଟ ବ୍ୟାଂକ ଭାବେ ବ୍ୟବହାର କରୁଛନ୍ତି । ଟ୍ରେନ ଦୁର୍ଘଟଣାରେ ସମଗ୍ର ଭାରତ ବର୍ଷର ଲୋକେ ମ୍ରିୟମାଣ । ସମସ୍ତେ ଛୁଟି ଆସିଲେ ସାହାଯ୍ୟ କରିବା ଲାଗି । କିନ୍ତୁ ସେହି ସମୟରେ ବିଜେଡି ନେତା ଓ ନେତ୍ରୀ ମାନେ ସିଙ୍ଗାପୁର ବାହାରି ଗଲେ ସମରକ୍ୟାମ୍ପ କରିବା ଲାଗି । ଯେତେବେଳେ ଓଡିଶା କାନ୍ଦୁଛି ସେତେବେଳେ ବିଜେଡି ନେତା ଓ ନେତ୍ରୀ ମାନେ ଉତ୍କଳ ଦିବସ ପାଳନ କରିବା ପାଇଁ ସିଙ୍ଗାପୁରରେ ଯିବା କେତେ ଦୂର ଠିକ । ଗତ ୩୧ ତାରିଖରୁ ଆସନ୍ତା ଜୁନ୍ ୩୦ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ମହା ଜନସଂପର୍କ ଅଭିଯାନରେ ସାମିଲ ହୋଇ ମୋଦି ସରକାରଙ୍କ ସଫଳତା ଓ ଉପଲବ୍ଧତା ଏବଂ ବିଜେଡି ସରକାରର ବିଫଳତା ଓ ମହିଳାବିରୋଧୀ ନୀତିକୁ ପ୍ରସଙ୍ଗ କରି ଘର ଘର ବୁଲି ସଚେତନତା ସୃଷ୍ଟି କରିବ ମହିଳା ମୋର୍ଚ୍ଚା । ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନୂତନ ଭୋଟରଙ୍କ ସହ ଚର୍ଚ୍ଚା ଓ ଆଲୋଚନା କରାଯାଇ ଜନଜାଗରଣ କରାଯିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟିକା କୁସୁମ ଟେଟେ, ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ, ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମୀମୟୀ ପଟ୍ଟନାୟକ, ଗଣମାଧ୍ୟମ ସଂଯୋଜିକା ସୁଚରିତା ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here