ଆଜି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି

0
449

ଭୂବନେଶ୍ୱର,୨୨/୦୩/୨୦୨୧: ସୋମବାର ଶ୍ରୀମନ୍ଦିରକୁ ଯାଇ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ରାଷ୍ଟପତି ରାମନାଥ କୋବିନ୍ଦ। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ଶ୍ରୀଜଗନ୍ନାଥ ମନ୍ଦିର। ସୁରକ୍ଷା ଦୃଷ୍ଟିରୁ ସୋମବାର ଦିନ ୧୨ଟା ଯାଏ ବଡ଼ଦାଣ୍ଡ ଦୁଇପାର୍ଶ୍ବ ଦୋକାନଗୁଡିକ ବନ୍ଦ ରଖିବାକୁ ନିର୍ଦେଶ ଦେଇଛି ପ୍ରଶାସନ। ଜିଲା ସଦର ହାସ୍‌ପାତାଳ ଛକରୁ ଶ୍ରୀମନ୍ଦିର କାର୍ୟ୍ୟାଳୟ ପର୍ୟ୍ୟନ୍ତ ଏହି କଟକଣା କାର୍ୟ୍ୟକାରୀ କରାଯିବ। ରାଷ୍ଟ୍ରପତିଙ୍କ ହେଲିକପ୍ଟର ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବାମାତ୍ରେ ବଡ଼ଦାଣ୍ଡକୁ ସଂଯୋଗ କରିଥିବା ୧୪ଟି ସାହି ରାସ୍ତା ସିଲ୍‌ କରି ଦିଆଯିବ। ପୂର୍ତ୍ତ ବିଭାଗ ପକ୍ଷରୁ ସେସବୁ ସ୍ଥାନରେ ବ୍ୟାରିକେଡ ନିର୍ମାଣ କରାଯାଇଛି। ଶ୍ରୀମନ୍ଦିର ଗର୍ଭଗୃହ ଭିତରକୁ ଯାଇ ରାଷ୍ଟ୍ରପତି ଦମ୍ପତି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ। ଦିନ ୯ଟା ୫ରୁ ୯ଟା ୪୫ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରେ ରହିବେ ରାଷ୍ଟ୍ରପତି। ତେଣୁ ସକାଳ ୮ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ଶ୍ରୀଜୀଉଙ୍କୁ ଦର୍ଶନ କରି ରାଷ୍ଟ୍ରପତି ଫେରିବା ପରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବ। ସିଂହଦ୍ବାର ଦେଇ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଶ୍ରୀମନ୍ଦିରକୁ ଯିବେ। ଦାରୁବ୍ରହ୍ମଙ୍କୁ ଦର୍ଶନ ପରେ ସେ ବିମଳା ଏବଂ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିବା କାର୍ୟ୍ୟକ୍ରମ ରହିଛି। ବରିଷ୍ଠ ପୁଲିସ, ଗୁଇନ୍ଦା ଓ ସେନା ଅଧିକାରୀ ରବିବାର ପୁରୀ ହେଲିପ୍ୟାଡ ସମେତ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ୫ଜଣ ଏସ୍‌ପି, ୮ ଅତିରିକ୍ତ ଏସ୍‌ପି, ୬ଜଣ ଡିଏସ୍‌ପି ଏବଂ ୨୫୦ ସବ୍‌ଇନ୍ସପେକ୍ଟର ଏବଂ ଇନ୍ସପେକ୍ଟରଙ୍କୁ ସୁରକ୍ଷା ତଦାରଖ ଦାୟିତ୍ବ ଦିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ଜିଲାପାଳ ସମର୍ଥ ବର୍ମା, ଏସ୍‌ପି କନୱର ବିଶାଲ ସିଂହ ପାଳିଆ ସେବକଙ୍କ ସହ ଆଲୋଚନା କରିଛନ୍ତି। ରାଷ୍ଟ୍ରପତି ଶ୍ରୀମନ୍ଦିର ଭିତରେ ଥିବାବେଳେ ଚାରିଗୋଟି ଦ୍ବାରଦେଇ ଅନ୍ୟ କାହାରିକୁ ଭିତରକୁ ଛଡାଯିବ ନାହିଁ। ମନ୍ଦିର ଭିତରେ କେବଳ ପାଳିଆ ସେବକ, ରାଷ୍ଟ୍ରପତିଙ୍କ ଗସ୍ତସହ ସଂପୃକ୍ତ ଅଫିସର ଏବଂ ସୁରକ୍ଷାକର୍ମୀ ରହିବେ।ସୋମବାର ସକାଳ ୮ଟା ୪୫ରେ ରାଷ୍ଟ୍ରପତି ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ। ବୁଲେଟପ୍ରୁଫ୍‌ କାର୍‌ଯୋଗେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ପେଣ୍ଠକଟା, ଚକ୍ରତୀର୍ଥ ରୋଡ୍‌, ଭିଆଇପି ରୋଡ୍‌ ଏବଂ ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିର ସିଂହଦ୍ବାରରେ ପହଞ୍ଚିବେ। ମନ୍ଦିର ପ୍ରଶାସନ ଏବଂ ଛତିଶା ନିଯୋଗ ପକ୍ଷରୁ ତାଙ୍କୁ ସେଠାରେ ସ୍ବାଗତ କରାଯିବ। ଦିନ ୯ଟା ୫ରୁ ୯ଟା ୪୫ପର୍ୟ୍ୟନ୍ତ ରାଷ୍ଟ୍ରପତି ଦମ୍ପତି ଶ୍ରୀମନ୍ଦିର ଭିତରେ ରହିବେ। ଶ୍ରୀଜୀଉଙ୍କ ଦର୍ଶନ ପରେ ଦିନ ୧୦ଟା ୫ରେ ହେଲିକପ୍ଟର ଯୋଗେ କୋଣାର୍କ ଯିବା କାର୍ୟ୍ୟକ୍ରମ ରହିଛି। କୋଣାର୍କ ହେଲିପ୍ୟାଡରେ ପହଞ୍ଚିବା ପରେ ରାଷ୍ଟ୍ରପତି ସେଠାରୁ ସୂର୍ୟ୍ୟ ମନ୍ଦିର ଯିବେ। ଦିନ ୧୦ଟା ୪୫ରୁ ୧୧ଟା ୧୫ ପର୍ୟ୍ୟନ୍ତ ସୂର୍ୟ୍ୟମନ୍ଦିର ବୁଲି ଦେଖିବେ। ଏହାପରେ ରାଷ୍ଟ୍ରପତି ଦମ୍ପତି ଇଣ୍ଡିଆନ ଅଏଲ୍‌ ଫାଉଣ୍ଡେସନ ଟ୍ରଷ୍ଟ ଦ୍ବାରା ନିର୍ମିତ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବେ। କୋଣାର୍କ ଯାତ୍ରୀନିବାସରେ ରାଷ୍ଟ୍ରପତିଙ୍କ ମଧ୍ୟାହ୍ନ ଭୋଜନ ଏବଂ ସାମୟିକ ବିଶ୍ରାମ ବ୍ୟବସ୍ଥା କରାଯାଇଛି। ଅପରାହ୍ଣ ୪ଟା ୧୫ରେ ରାଷ୍ଟ୍ରପତି କୋଣାର୍କ ହେଲିପ୍ୟାଡରୁ ବାହାରି ୪ଟା ୪୫ରେ ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା କାର୍ୟ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here