ଜାନୁଆରୀ ଦ୍ୱିତୀୟ ସପ୍ତାହରେ ରାଜ୍ୟରେ ପ୍ରବଳ ବର୍ଷା ! ୧୦ଟି ଜିଲ୍ଲା ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି

0
506

ଭୂବନେଶ୍ୱର,୦୬/୦୧/୨୦୨୨:
ଜାନୁଆରୀ ଦ୍ବିତୀୟ ସପ୍ତାହରେ ଓଡ଼ିଶାର କେତେକ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ଜାନୁଆରି ୯ ଓ ୧୨ରେ ପଶ୍ଚିମ ଓଡ଼ିଶାରେ ଏବଂ ଉତ୍ତର ଓ ଉପକୂଳ ଓଡ଼ିଶାରେ ୧୦ ଓ ୧୪ ତାରିଖ ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧୦ରୁ ୧୪ ମଧ୍ୟରେ ଉତ୍ତର ଓଡ଼ିଶାରେ ଅନୁରୂପ ବୃଷ୍ଟିପାତ ହୋଇପାରେ । ୧୧ରୁ ୧୪ ତାରିଖ ମଧ୍ୟରେ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହିତ ବଜ୍ରପାତ କିମ୍ବା କୁଆପଥର ମାଡ଼ ହେବା ନେଇ ସୋଆସ୍ଥିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ଆହୁରି କୁହାଯାଇଛି ଯେ ପଶ୍ଚିମା ବାୟୁ ପ୍ରଭାବ ଯୋଗୁଁ ବର୍ଷା ହେବ। ତେବେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେବ । ବୁଧବାର କୋରାପୁଟ, ମାଲାକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଘନ କୁହୁଡ଼ି ହେବାର ଆଶଙ୍କା ରହିଛି । ଜାନୁଆରି ୫ ରାତିରୁ ତାପମାତ୍ରା ବୃଦ୍ଧି ପାଇବ ଏବଂ ୧୫ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରି ଅଧିକ ରହିବ ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୭ ତାରିଖ ସକାଳ ପର୍ଯ୍ୟନ୍ତ ୧୦ଟି ଜିଲ୍ଲା ଘନ କୁହୁଡ଼ି ଲାଗି ରହିବ । ତାହାକୁ ଦୃଷ୍ଟିରେ ରଖି କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ନବରଙ୍ଗପୁର, ବୌଦ୍ଧ, ନୟାଗଡ଼, ବଲାଙ୍ଗୀର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ପରବର୍ତୀ ୩ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ । ୧୦ ତାରିଖ ବେଳକୁ କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ । ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରି ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here