ବ୍ରହ୍ମପୁର, ୨୪/୦୪/୨୦୨୩ : ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ବ୍ରହ୍ମପୁର ନଗର ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ସଂଘ କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଉପଦେଷ୍ଟା ତଥା ହିନ୍ଦ୍ ମଜଦୁର ସଭା ରାଜ୍ୟ ଉପସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କର୍ମଚାରୀ ସଂଘର ୭ ଦଫା ଦାବି ପୂରଣ ପାଇଁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ଦାବି ପୂରଣ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଦାବିଗୁଡ଼ିକ ମଧ୍ୟରେ ଦୀର୍ଘବର୍ଷ ଧରି ଖାଲି ପଡ଼ିଥିବା ଡି ଗ୍ରେଡ ପଦବୀକୁ ଶୀଘ୍ର ପୂରଣ କରାଯିବା ଓ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ତୁରନ୍ତ ନିଯୁକ୍ତି ଦିଆଯିବା , ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଯୋଗ୍ୟତା ଭିତ୍ତିରେ ତୃତୀୟ ଶ୍ରେଣୀ କର୍ମଚାରୀ ଭାବେ ପଦୋନ୍ନତି ଦିଆଯିବା , ସ୍ବାସ୍ଥ୍ୟ ବିଭାଗରେ ଏଜେନ୍ସି ମାଧ୍ୟମରେ କାର୍ଯ୍ୟରତ ୧୦ବର୍ଷରୁ ଊର୍ଦ୍ଧ୍ବ ସମୟ କାର୍ଯ୍ୟ କରିଥିବା ଆଉଟସୋର୍ସିର୍ଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବା , ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ମେଡିକାଲ ପରିସର ମଧ୍ୟରେ ବାସଗୃହ (କ୍ବାଟର) ନିର୍ମାଣ କରାଯିବା , କର୍ମଚାରୀଙ୍କୁ ମିଳୁଥିବା ପୋଷାକ ଅର୍ଥ ଦୁଇ ହଜାରକୁ ବୃଦ୍ଧି କରାଯାଇ ଏବଂ ରିସ୍କ ଆଲାଉନ୍ସ ୫୦୦ଟଙ୍କାକୁ ବୃଦ୍ଧି କରାଯିବା , କର୍ମଚାରୀଙ୍କୁ ପୂର୍ବ ପ୍ରଦାନ ବ୍ୟବସ୍ଥା ଥିବା ମେଡିକାଲ ବିଲ ପୁନଃ ପ୍ରଦାନ କରାଯିବା , କର୍ମଚାରୀଙ୍କ ଅବସର ବୟସ ସୀମା ଡ଼ାକ୍ତରଙ୍କ ଭଳି ୬୦ରୁ ୬୫ କୁ ବୃଦ୍ଧି କରାଯିବା ନେଇ ସାଧାରଣ ସମ୍ପାଦିକା ରେଣୁପ୍ରିୟା ପାଢ଼ୀ ଦାବି ଆଗତ କରିଥିଲେ । ଆୟୋଜିତ ଏହି ବୈଠକରେ ଅବସର ନେଇଥିବା ସୁପ୍ରଭା ସିଂଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।କାର୍ଯ୍ୟକ୍ରମରେ ରାଜ୍ୟ ସଂଗଠନର ଯୁଗ୍ମ ସମ୍ପାଦକ ରବିନ୍ଦ୍ର ନାୟକ, ଜିଲା ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ପଣ୍ଡିତ, ପୂର୍ବତନ ସମ୍ପାଦକ ଜି. ନରସିଂହ ରାଓ, ବିପିନ ବିହାରୀ ନାୟକ, ଟୁନା ଜେନା, ରଞ୍ଜନ କୁମାର ବେଜ, ରବିନ୍ଦ୍ର କୁମାର ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।