କ୍ରିକେଟ ଖେଳୁଥିବା ବେଳେ ମୁଣ୍ଡ ରେ ବଲ୍ ବାଜି ଡାକ୍ତରୀ ଛାତ୍ର ଙ୍କ ମୃତ୍ୟୁ

0
218

ବ୍ରହ୍ମପୁର,୧୬/୨୧ -କ୍ରିକେଟ୍‌ ଖେଳୁଥିବା ବେଳେ ମୁଣ୍ଡରେ ବଲ୍‌ ବାଜି ଜଣେ ଡାକ୍ତରୀ ଛାତ୍ରଙ୍କ ଗତକାଲି ସକାଳେ ମୃତ୍ୟୁ ଘଟିଛି । ମୃତକ କୋରାପୁଟ ସ୍ଥିତ ଶହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଏମ୍‌ବିବିଏସ୍‌ ଦ୍ୱିତୀୟ ବର୍ଷ ଛାତ୍ର ବିଶ୍ୱଭୂଷଣ ସାହୁ (୨୪) । ତାଙ୍କ ଘର ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳ ଓ ପିତାଙ୍କ ନାମ ଲିଙ୍ଗରାଜ ସାହୁ । କିଛିଦିନ ହେଲା ବିଶ୍ୱଭୂଷଣ ଘରକୁ ଆସିଥିଲେ । ଶୁକ୍ରବାର ସକାଳେ ଏମ୍‌କେସିଜି ମେଡିକାଲ ଖେଳ ପଡ଼ିଆରେ ସାଙ୍ଗମାନଙ୍କ ସହ କ୍ରିକେଟ୍‌ ଖେଳୁଥିଲେ । ଜଣେ ସାଙ୍ଗ ବୋଲିଂ କରୁଥିବା ବେଳେ ବ୍ୟାଟିଂ କରୁଥିଲେ ବିଶ୍ୱଭୂଷଣ । ତେବେ ବଲ୍‌ଟି ବିଶ୍ୱଭୂଷଣଙ୍କ ମୁଣ୍ଡରେ ଖୁବ୍‌ ଜୋର୍‌ରେ ବାଜିଥିଲା ଓ ସେ ଅଚେତ ହୋଇ ପଡ଼ି ଯାଇଥିଲେ ।

ଅନ୍ୟ ଖେଳାଳି ତଥା ସାଙ୍ଗମାନେ ତାଙ୍କୁ ତୁରନ୍ତ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ଏମ୍‌କେସିଜି ଫାଣ୍ଡି ପୁଲିସ ମୃତଦେହ ଜବତ କରି କେସ୍‌ ନମ୍ବର ୬୦୪/୨୦୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇଛି । ବିଶ୍ୱଭୂଷଣଙ୍କ ବିୟୋଗରେ ପରିବାର ସଦସ୍ୟ ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ବିଶ୍ୱଭୂଷଣଙ୍କ ବାପା ଲିଙ୍ଗରାଜ ସାହୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ଭାବେ ଅବସର ଗ୍ରହଣ କରିଥିବା ବେଳେ ତାଙ୍କ ବଡ଼ ଭଉଣୀ ଗତବର୍ଷ ଏମ୍‌ବିବିଏସ୍‌ ପାସ୍‌ କରିଛନ୍ତି ।

LEAVE A REPLY

Please enter your comment!
Please enter your name here