ଖଲ୍ଲିକୋଟ ସିଡିପିଓଙ୍କୁ କାରଣଦର୍ଶାଅ ନୋଟିସ

0
182

ଛତ୍ରପୁର,୨୩/୧୧–ଗଞ୍ଜାମ ଜିଲା ସମାଜ ମଙ୍ଗଳ ବିଭାଗର ଏକ ସମୀକ୍ଷା ବୈଠକ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ମମତା ଯୋଜନାର ଅଗ୍ରଗତି ସମୀକ୍ଷା କରିବା ସହ ଠିକ୍‌ ସମୟରେ ସହାୟତା ପ୍ରଦାନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ୯୯ ଓ ଦ୍ୱିତୀୟ ପର୍ଯ୍ୟାୟରେ ୩୨ ଗର୍ଭବତୀଙ୍କୁ ଅନୁଦାନ ଏଯାବତ୍‌ ମିଳିନି।
ଏହି ଯୋଜନା ନେଇ ସଚେତନତା କାର୍ଯ୍ୟକ୍ରମ କରିବା ସହ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାହିଁକି ସହାୟତା ରାଶି ଦିଆଯାଇନି ସେ ସମ୍ପର୍କରେ ୭ ଦିନ ମଧ୍ୟରେ ଜଣାଇବାକୁ ସିଡିପିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୋ ସରକାର କାର୍ଯ୍ୟକ୍ରମରେ ଉକ୍ତ ବିଭାଗ ଡିସେମ୍ବର ୧ରେ ସାମିଲ ହେବାକୁ ଯାଉଥିବାରୁ ଠିକ୍‌ ଭାବେ ସବୁ ଯୋଜନା କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା। ଜିଲାରେ ୪୯ ଅଙ୍ଗନୱାଡି କର୍ମୀ ଓ ୮ ଅଙ୍ଗନୱାଡି ସହାୟିକା ପଦବୀ ଖାଲି ପଡିଛି। ପ୍ରତି ଅଙ୍ଗନୱାଡି କେନ୍ଦ୍ରକୁ ସିଡିପିଓ ଓ ସୁପରଭାଇଜରମାନେ ନିୟମିତ ପରିଦର୍ଶନରେ ଯିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ୬୮୯ ଅଙ୍ଗନୱାଡି କେନ୍ଦ୍ର କୋଠାର ନିର୍ମାଣ ଚାଲିଥିବା ବେଳେ ୮୪୬ କେନ୍ଦ୍ର କୋଠା ନିର୍ମାଣ ଆରମ୍ଭ ହୋଇନି। ବିନା ପାଣିରେ ଅଙ୍ଗନୱାଡି କେନ୍ଦ୍ର ଚାଲିପାରିବନି ଏବଂ ଏହାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖଲ୍ଲିକୋଟ ସିଡିପିଓଙ୍କ କାର୍ଯ୍ୟ ଅତି ନୈରାଶ୍ୟଜନକ ରହିଛି ଏବଂ ତାଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତିି। ଅଙ୍ଗନୱାଡି କେନ୍ଦ୍ରରେ କର୍ମୀମାନଙ୍କର ଦିଆଯାଉଥିବା ତଥ୍ୟ ଠିକ୍‌ ରହୁ ନ ଥିବା ଜିଲା ଟିମ୍‌ ପରିଦର୍ଶନ ବେଳେ ଜାଣିବାକୁ ମିଳୁଛି। ଏହାର ନିୟମିତ ଯାଞ୍ଚ ହେବ ବୋଲି ଜିଲାପାଳ କହିଥିଲେ। ଛତୁଆ କେନ୍ଦ୍ରରେ ସିସି କ୍ୟାମେରା ବାଧ୍ୟତାମୂଳକ ଏବଂ ଛତୁଆ ପ୍ରସ୍ତୁତି ବେଳେ ଶିଶୁମାନଙ୍କ ଅଭିଭାବକ ଏଣିକି ଉପସ୍ଥିତ ରହିବେ। ସିଡିପିଓ ଅଫିସରେ ବାୟୋମେଟ୍ରିକ୍‌ ଆଟେଣ୍ଡାନ୍ସ ବାଧ୍ୟତାମୂଳକ ବୋଲି ଜିଲାପାଳ କହିଥିଲେ। ଏହି ବୈଠକରେ ଅତିିରିକ୍ତ ଜିଲାପାଳ କବୀନ୍ଦ୍ର ସାହୁ, ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀଙ୍କ ସମେତ ସିଡିପିଓମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here