ଉପକୂଳ ରାଜପଥ ନିର୍ମାଣକୁ ପ୍ରଫୁଲ ସାମନ୍ତରାଙ୍କ ବିରୋଧ: ସାମୁଦ୍ରିକ ପରିବେଶ ପାଇଁ ଘାତକ

0
205

ବ୍ରହ୍ମପୁର,୦୬/୧୨-ଗଞ୍ଜାମ ଜିଲା ଗୋପାଳପୁରଠାରୁ ଦୀଘା ପର୍ଯ୍ୟନ୍ତ ପ୍ରାୟ ୨୪୦ କି.ମି. ଉପକୂଳ ରାଜପଥ(କୋଷ୍ଟାଲ୍‌ ହାଇୱେ) ନିର୍ମାଣକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି । କିନ୍ତୁ ଏହି ପ୍ରକଳ୍ପକୁ ଲୋକଶକ୍ତି ଅଭିଯାନର ସଭାପତି ତଥା ଗ୍ରୀନ୍‌ ନୋବେଲ୍‌ ପୁରସ୍କାର ବିଜେତା ପ୍ରଫୁଲ ସାମନ୍ତରା ବିରୋଧ କରିଛନ୍ତି। ସାମୁଦ୍ରିକ ପରିବେଶ ପ୍ରତି ଉପକୂଳ ରାଜପଥ ଘାତକ ହେବ ବୋଲି ସେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ, ଲୁଣା ଜଙ୍ଗଲ ଧ୍ୱଂସ ହେବା ସହ ଚିଲିକାଠାରୁ ଭିତରକନିକା ପର୍ଯ୍ୟନ୍ତ ସାମୁଦ୍ରିକ ଜୈବବିବିଧତା ଓ ଜୀବଜନ୍ତୁ, ମତ୍ସ୍ୟ ପ୍ରଜାତି ବିନାଶର ଶିକାର ହେବେ। ଏହାଦ୍ୱାରା ଯେଉଁ ବଜାର ଓ ବ୍ୟବସାୟ ନିର୍ମାଣ ସହ ଯାନବାହନ ଚାଲିବ ତାହା ମଧ୍ୟ ସାମୁଦ୍ରିକ ପରିବେଶକୁ କ୍ଷତି କରିବ । ବର୍ଷା ଦିନେ ଜଳ ନିଷ୍କାସନ ବାଧାପ୍ରାପ୍ତ ହେବ। ବାତ୍ୟା ବେଳେ ସମୁଦ୍ରରୁ ଆସୁଥିବା ଜଳ ପୁଣି ଫେରିପାରିବ ନାହିଁ । ପ୍ରାକୃତିକ ବିପର୍ଯ୍ୟୟ ସାଂଘାତିକ ବହୁଗୁଣରେ ବଢ଼ିଯିବ । ଓଡ଼ିଶା ଉପକୂଳ ବାରମ୍ବାର ବାତ୍ୟା ଓ ଝଡ଼ର ଶିକାର ହେଉଛି । ଲୁଣା ଜଙ୍ଗଲ ଓ ପ୍ରାକୃତିକ ସ୍ଥିତି ସୁରକ୍ଷିତ ରହିବା ଦୃୃଷ୍ଟିରୁ ଏହି ପ୍ରକଳ୍ପ ଆଦୌ ଗ୍ରହଣୀୟ ନୁହଁ । ପୁଣି ମତ୍ସ୍ୟଜୀବୀମାନେ ଜୀବିକା ହରାଇବେ । କୌଣସି ପ୍ରକାରେ ଚିଲିକା ଉପରେ ପୋଲ ନିର୍ମାଣ ଏହାର ପ୍ରାକୃତିକ ଭୌଗୋଳିକ ସ୍ଥିତି ପ୍ରତି କ୍ଷତିକାରକ । ଆଶ୍ରୟ ନେଉଥିବା ବିଦେଶୀ ପକ୍ଷୀମାନଙ୍କ ଜୀବନ ପ୍ରତି ବିପଦ ରହିଛି ।

LEAVE A REPLY

Please enter your comment!
Please enter your name here