ବନ୍ଦେ ମାତରମ୍ କହିବ, ଭାରତ ରେ ରହିବ : କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ

0
368

ନୂଆଦିଲ୍ଲୀ: କେତେବେଳେ ନିଜର ସରଳ ଜୀବନ ଶୈଳୀକୁ ନେଇ ତ ଆଉ କେତେବେଳେ ବିଭିନ୍ନ ଭାଷାରେ ଥିବା ଦକ୍ଷତାକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି ଓଡ଼ିଆ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଆଉ ଆଜି ବି ପ୍ରତାପ ଷଡ଼ଙ୍ଗୀ(ନନା)ଙ୍କୁ ନେଇ ଚର୍ଚ୍ଚା ସରଗରମ । ହେଲେ ଏଥର ଘଟଣାଟି ଟିକିଏ ଅଲଗା ପ୍ରକାର । ନନାଙ୍କ ଏକ ବୟାନ ହିଁ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।ବନ୍ଦେ ମାତରମକୁ ଯିଏ ଗ୍ରହଣ କରିପାରିବନି, ଏ ଦେଶରେ ତା ପାଇଁ ସ୍ଥାନ ନାହିଁ । ଯେଉଁମାନେ ଭାରତର ଅଖଣ୍ଡତାକୁ ସ୍ୱୀକାର କରିପାରୁ ନାହାନ୍ତି କି ବନ୍ଦେ ମାତରମ କହି ପାରୁନାହାନ୍ତି ସେମାନଙ୍କର ଏଦେଶରେ ରହିବାର ଅଧିକାର ନାହିଁ । ଏଭଳି ଏକ ବଡ ବୟାନ ଦେବା ପରେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ବନ୍ଦେ ମାତରମ ନେଇ କେନ୍ଦ୍ରମନ୍ତ୍ରୀ ଏଭଳି ବୟାନ ଦେବା ପରେ ଏବେ ପ୍ରଶ୍ନ ଉଠୁଛି ଯେ, କିଏ ରହିବ ଦେଶରେ ? ଦେଶ ପ୍ରେମର ଏଜେଣ୍ଡା ଧରି ବିଜେପି ରାଜନୀତି କରିବାକୁ ଚାହୁଁନି ତ ? କାରଣ କୌଣସି କର୍ମୀ ନୁହେଁ ଖୋଦ କେନ୍ଦ୍ରମନ୍ତ୍ରୀ ଏଭଳି ବୟାନ ଦେବା ପରେ ଏହାକୁ ବିରୋଧୀ ସମାଲୋଚନା କରିବା ଆରମ୍ଭ କଲେଣି ।

ନାଗରିକତା ସଂଶୋଧନ ଆଇନ ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ ଏଭଳି କହିଛନ୍ତି । ଲୋକଙ୍କୁ ମାଗଣ ପାଣି, ମାଗଣା ବିଜୁଳି ଦେଲେ ବିକାଶ ହେବନି । କଂଗ୍ରେସ କରିଥିବା ପାପର ଆମେ ପ୍ରାୟଶ୍ଚିତ କରୁଛୁ । ସିଏଏ ନେଇ କଂଗ୍ରେସ ଅପପ୍ରଚାର କରୁଛି । ତେଣୁ ଭାରତର ସ୍ୱାଧୀନତା, ଏକତା ଏବଂ ବନ୍ଦେ ମାତରମକୁ ଯିଏ ଗ୍ରହଣ ନ କରିବ ତାର ଭାରତରେ ସ୍ଥାନ ନାହିଁ । ଦେଶର ବିଭାଜନ ସମୟରେ କଂଗ୍ରେସ କରିଥିବା ଭୁଲକୁ ସୁଧାରିବାରେ ସିଏଏ ବା ନାଗରିକତା ସଂଶୋଧନ ଆଇନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି । ନାଗରିକତା ସଂଶୋଧନ ଆଇନ ଆଣିଥିବାରୁ ଦେଶବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ଦରକାର ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ।
(ବ୍ୟୁରୋ ରିପୋର୍ଟ)

LEAVE A REPLY

Please enter your comment!
Please enter your name here