ଜିଲ୍ଲାର ସମସ୍ତ ଆଦର୍ଶ ବିଦ୍ୟାଳୟ ଗୁଡିକରେ ସ୍ମାର୍ଟକ୍ଲାସ୍ ଦ୍ବାରା ଶିକ୍ଷା ପ୍ରଦାନ କରାଯିବ

0
152

ଛତ୍ରପୁର,୦୩/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ଗଞ୍ଜାମ ଜିଲ୍ଲାରେ ରହିଥିବା ଆଦର୍ଶ ବିଦ୍ୟାଳୟ ଗୁଡିକର ଶିକ୍ଷାର ମାନ ବୃଦ୍ଧି ଏବଂ ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ ଏବଂ ସ୍ବଚ୍ଛତା ଦିଗରେ ଅଧିକ ଧ୍ୟାନ ଦିଆଯିବ । ଏଥି ସକାଶେ ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲାରେ ରହିଥିବା ସମସ୍ତ ୨୨ ଗୋଟି ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କୁ ନେଇ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୧୪ଗୋଟି ଅପ୍ ଗ୍ରେଡେସନ୍ ହୋଇଥିବା ବିଦ୍ୟାଳୟର ଏକାଦଶ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ କିଣାଯିବାକୁ ଥିବା ଆସବାବ ପତ୍ର ନେଇ କ୍ରୟ କରିବାକୁଥିବା କମିଟିଦ୍ବାରା ଆଲୋଚନା ହୋଇଥିଲା । ପୋଲସରା ବ୍ଲକ୍ ର ହାତୀଓଟ ଆଦର୍ଶ ବିଦ୍ୟାଳୟରେ ଦଶମ ଶ୍ରେଣୀର ଫଳାଫଳ ଅତୀ ଉଚ୍ଚକୋଟୀର ହୋଇଥିବା ହେତୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ ଏବଂ ସମସ୍ତ ଆଦର୍ଶ ବିଦ୍ୟାଗୁଡିକରେ ସେହିଭଳି ଫଳାଫଳ ଯେମିତି ହେବ ତାହାକୁ ଦୃଷ୍ଟିରେ ରଖି ଶିକ୍ଷା ପ୍ରଦାନ କରିବାକୁ ଅଧ୍ୟକ୍ଷ ମାନଙ୍କୁ ଜଣାଇଥିଲେ । ଉକ୍ତ ହାତୀଓଟ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଛାତ୍ରାବାସରେ ରହିବା ବ୍ୟବସ୍ଥା କରାଯାଇ ଶତକଡା ୯୦ ପ୍ରତିଶତ କୋଚିଂ ବ୍ୟବସ୍ଥା କରାଯିବ । ସମସ୍ତ ଆଦର୍ଶ ବିଦ୍ୟାଳୟ ଗୁଡିକରେ କମ୍ପ୍ୟୁଟର ପ୍ରୋଜେକ୍ଟର ସ୍ଥାପନ କରି ସ୍ମାର୍ଟ କ୍ଲାସ୍ ପ୍ରସ୍ତୁତ ହେବ । ବିଦ୍ୟାଳୟ ଗୁଡିକର ପାଠ୍ୟକ୍ରମ ଖସଡା ପ୍ରସ୍ତୁତ ହୋଇ ଉନ୍ନତମାନ ଶିକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା । ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ ଓ ସ୍ବଚ୍ଛତା ଦିଗରେ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ଅଧ୍ୟକ୍ଷଗଣ ବିଦ୍ୟାଳୟର ମୁଖ୍ୟ । ଏମାନେ ବିଦ୍ୟଳୟର ଉନ୍ନତି ଦିଗରେ ଚେଷ୍ଟା କରିବା ସହିତ ଉତ୍ତମ ଚରିତ୍ରବାନ ଛାତ୍ର ଗଠନ ଦିଗରେ ପ୍ରୟାସ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ . । ଶିକ୍ଷକଗଣ ପାଠପଢା ସମୟ ବ୍ୟତୀତ ଅନ୍ୟ ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ସାମିଲ କରି ବୃକ୍ଷ ରୋପଣ, ସଫେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅଧ୍ୟକ୍ଷ ପ୍ରଥମେ ଶୌଚାଳୟର ସଫେଇ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ । ତେବେଯାଇ ଅନ୍ୟ ଶିକ୍ଷକ ଓ ଛାତ୍ରଛାତ୍ରୀଗଣ ଅନୁପ୍ରାଣୀତ ହୋଇ ଉକ୍ତ କାର୍ଯ୍ୟକୁ ଘୃଣ୍ୟ ମନେ ନକରି ନିଜେମଧ୍ୟ ସଫେଇ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ଉପସ୍ଥିତ ଅଧ୍ୟକ୍ଷଗଣ ନିଜନିଜ ବିଦ୍ୟାଳୟରେ ରହିଥିବା ସମସ୍ୟାମାନ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (ରାସ୍ତା ଓ କୋଠାବାଡି) ଏସ୍. ଏସ୍. ମିଶ୍ର, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (ରାସ୍ତା ଓ କୋଠାବାଡି) ତପନ କୁମାର ପାଣିଗ୍ରାହୀ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (ରାସ୍ତା ଓ କୋଠାବାଡି) ଗଞ୍ଜାମ-୧ ଅରୁଣ ଶତପଥୀ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗୀୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର କର, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଜଳ ଓ ପରିମଳ ବ୍ରହ୍ମପୁର ପ୍ରତାପ ଚନ୍ଦ୍ର ମହାପାତ୍ର, ସହକାରୀ ଯନ୍ତ୍ରୀ ଜନସ୍ବାସ୍ଥ୍ୟ ବିଭାଗ ଲଡୁ କିଶୋର ମିଶ୍ର ଏବଂ ସମସ୍ତ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here