ଦିଗପହଣ୍ଡି ଥାନା ପୋଲିସର ଅତର୍କିତ ଚଢ଼ାଉ । କୈଠଖଣ୍ଡି ନିକଟରୁ ବିପୁଳ ପରିମାଣର ବିଦେଶୀମଦ ସହ ୫ ବାଇକ ଓ କାର ଜବତ, ୧୦ ଗିରଫ

0
189

ବ୍ରହ୍ମପୁର, ୨୧/୦୫/୨୦୨୧: ସାମ୍ପ୍ରତିକ କୋଭିଡ ଜନିତ ସରକାରୀ କଟକଣା ଲକଡାଉନ ଓ ସଟଡାଉନ ସାଧାରଣ ଜୀବନ ଜୀବିକାକୁ ପ୍ରଭାବିତ କରୁଥିବା ସମୟରେ ଜୀବନର ମୂଲ୍ୟକୁ କରୋନା ତୁତ୍ସ କରିଦେଇଛି । ନିମ୍ନ ବର୍ଗରେ ଥିବା ଜନସାଧାରଣଙ୍କ ସହିତ ଖଟିଖିଆ ଶ୍ରମିକ ଶ୍ରେଣୀଙ୍କ ପାଇଁ କରୋନା ସର୍ବନାଶର ବାର୍ତା ଦେଉଥିବା ଅବସରରେ ଅବୈଧ ଚୋରାମଦ ବେପାରୀଙ୍କ ପାଇଁ କରୋନା ସମ୍ପ୍ରତି ଅର୍ଥ କମେଇବାର ପୁଷମାସ ହୋଇଥିବା ଲକ୍ଷ କରାଯାଇଅଛି । ଲକ୍ ଡାଉନ୍ ମୌକାରେ ବେଧଡକ ଭାବେ ରାତାରାତି କରୁଛନ୍ତି ଚୋରାଚାଲାଣ ମଦ କାରବାର ।ଫାଇଦା ଉଠାଇବାକୁ ଚୋରାରେ ମଦ ଆଣି ନିଜ ଦୋକାନରେ ମହଜୁଦ ରଖି ଚଢା ଦରରେ ବିକ୍ରୀ କରୁଥିବା ବେଳେ ନକଲୀ ବିଦେଶୀ ମଦ ବ୍ୟବସାୟୀମାନେ ମଧ୍ୟ ଲକଡାଉନର ସୁଯୋଗକୁ ହାତଛଡ଼ା ନକରି ମାଲାମାଲ୍ ହେଉଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଅତର୍କିତ ଚଢାଉ କରିବା ସମୟରେ ଦିଗପହଣ୍ଡି – ଘୋଡାହଡ ରାସ୍ତାରୁ କିଛି କୋଚିଆ ବିଦେଶୀ ମଦ ବେପାରୀଙ୍କ ଭାଗବଣ୍ଟା ବେଳେ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଗୋଟିଏ କାର ଓଆର ୦୭ , ଏମ୍ – ୪୨୦୦ , ୫ ଟି ବାଇକ ସମେତ ୧୦ ଜଣକୁ ଗିରଫ କରିଥିବା ଜଣାପଡ଼ିଛି ।ଗିରଫ ମାନଙ୍କ ମଧ୍ୟରେ ଦିଗପହଣ୍ଡି ବ୍ଲକ କେ . ନୂଆଗାଁ ଥାନା ଅଧିନସ୍ଥ ଗୈାଡଗାଁ ଗ୍ରାମର ବବୁଲ୍ ସାହୁ , ଚନ୍ଦନ ସେଠୀ , ମନୋରଞ୍ଜନ ସାହୁ , ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଡାମାରୀ ଗ୍ରାମର ବୁଲୁ ସାହୁ ଓ ଚାକୁଣ୍ଡାପଲ୍ଲୀ ଗ୍ରାମର ରବିନ୍ଦ୍ର ସାହୁ , ଦିଗପହଣ୍ଡି ଥାନା ଭୀଷ୍ମଗିରୀ ଗ୍ରାମର ଟୁନା ମହାନ୍ତି ଓ ଜିତୁ ମହାନ୍ତି , ମଦନମୋହନପୁର ଗ୍ରାମର ସୁରେନ୍ଦ୍ର ବେହେରା , ଜଗନ୍ନାଥପୁର ଗ୍ରାମର ରାମଚନ୍ଦ୍ର ଚୌଧୁରୀ ଏବଂ ବୁରିପଦର ଗ୍ରାମର ନରେନ୍ଦ୍ର ସାହୁ ବୋଲି ସୂଚନା ରହିଅଛି । ମିଳିଥିବା ସୂଚନା ପ୍ରକାରେ ଗୁରୁବାର ବିଳମ୍ବିତ ରାତି ସାଢ଼େ ୩ ଘଣ୍ଟା ସମୟରେ ସଂପୃକ୍ତ ମଦବେପାରୀ ମାନେ ମିଳିତଭାବେ ଏକ ବଡ଼ ଧରଣର ମଦ କାଉଣ୍ଟରରୁ ବିଭିନ୍ନ ବ୍ରାଣ୍ଡର ୧୭ କାଟୁନ ଅର୍ଥାତ୍ ୧୪୯ ଲିଟର ବିଦେଶୀ ମଦକୁ ବେଆଇନ ଭାବେ ଜବତ ହୋଇଥିବା କାର ଓ ୫ ଟି ବାଇକ ସାହାଯ୍ୟରେ ଆଣି ଘୋଡାହଡ – କଇଠଖଣ୍ଡି ମଝି ରାସ୍ତାପାର୍ଶ୍ବ ନିରୋଳା ଜାଗାରେ ବସି ଭାଗବଣ୍ଟା କରୁଥିଲେ । ଏହି ସମୟରେ ବିଶେଷ ସୁତ୍ରରୁ ଖବରପାଇ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସଦଳବଳେ ଉକ୍ତ ସ୍ଥାନରେ ଅତର୍କିତ ଚଢ଼ାଉ କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ମଦକୁ ଜବତ କରିବା ସହ ବ୍ୟବହୃତ ଗାଡ଼ିକୁ ମଧ୍ୟ ଜବତ କରିଛନ୍ତି । ଏନେଇ ଦିଗପହଣ୍ଡି ଥାନା କେଶ୍ ନଂ ୧୧୯/୨୧ ଅନୁସାରେ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହେବାରୁ ଅପରାହ୍ନରେ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ପକ୍ଷରୁ ସୂଚିତ କରାଯାଇଅଛି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here