ହାତୀ ପଲ ଆକ୍ରମଣରେ ଜଣେ ମୃତ୍ୟୁ ଓ ଜଣେ ଆହତ

0
118

ବୁଗୁଡା,୧୦/୦୬/୨୦୨୧: ଦକ୍ଷିଣ ଘୁମୁସର ବନଖଣ୍ଡ ର ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ବାଲିପଦର ସେକ୍ଟର ର ଜିଲିବା ବିଟ ରେ ଜୁନ ୧୦ ତାରିଖ ଭୋର ସକାଳେ ହାତୀପଲ ଆକ୍ରମଣରେ ଜିଲିବା ଗ୍ରାମର ବାଞ୍ଛାନିଧି ସେଠୀ (୬୦)ଙ୍କ ମୃତ୍ୟୁ ଘଟିଥିବା ବେଳେ କେ.ପଙ୍କାଳ ଗ୍ରାମର ପୀତବାସ ପରିଡାଙ୍କ ପତ୍ନୀ ସବିତା ପରିଡା(୩୨) ଆହତ ହୋଇ ବେଲଗୁଣ୍ଠା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।ଘଟଣାରୁ ଜଣାପଡିଛି ଯେ ୬ଟି ମାଈ ହାତୀ ଓ ଗୋଟିଏ ଛୁଆ ହାତୀ ଏହିପରି ୭ ଟି ହାତୀ ଥିବା ହାତୀପଲ ଜିଲିବା ନିକଟରେ ପାଣି ପିଇସାରି ନଦୀପାର ହେଉଥିବା ସମୟରେ ସ୍ନାନଶୌଚ ପାଇଁ ନଦୀକୁ ଯାଇଥିବା ଜିଲିବା ଗ୍ରାମର ବାଞ୍ଛାନିଧି ସେଠୀଙ୍କୁ ହାତୀ ଶୁଣ୍ଢରେ ଟେକି କଚାଡି ଦେଇଥିବା ବେଳେ ସବିତା ପରିଡାଙ୍କୁ ଶୁଣ୍ଢରେ ଠେଲି ଦେଇଥିଲେ। ଖବର ପାଇ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନିର୍ଦ୍ଦେଶ ପ୍ରକାରେ ବାଲିପଦର ବନପାଳ ସୁନିତା ପାତ୍ର ଓ ଜିଲିବା ବନରକ୍ଷୀ ପ୍ରଶାନ୍ତ କୁମାର ପୋଲାଇ ଦୁଇ ଆହତ ବ୍ୟକ୍ତିଙ୍କୁ ବେଲଗୁଣ୍ଠା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବାଞ୍ଛାନିଧି ସେଠୀଙ୍କ ବେଲଗୁଣ୍ଠା ମେଡିକାଲରେ ଦେହାନ୍ତ ହୋଇଥିବା ବେଳେ ସବିତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଏନେଇ ବେଲଗୁଣ୍ଠା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ବାଞ୍ଛାନିଧିଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତକଙ୍କ ପରିବାରକୁ ବନବିଭାଗ ପକ୍ଷରୁ ପାଞ୍ଚ ହଜାର ଟଙ୍କା ପ୍ରଦାନ କରା ଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବ ପରେ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯିବ ବୋଲି ବନାଞ୍ଚଳ ଅଧିକାରୀ କହିଛନ୍ତି। ସେହିପରି ଆହତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ବନ ବିଭାଗ ପଦକ୍ଷେପ ଗ୍ରହଣ କରିଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here