ଖଲ୍ଲିକୋଟ କଲେଜ ଅଧ୍ୟାପକ ମରୁଡି ନେଇ ଉଚ୍ଚ ନ୍ୟାୟଳୟର ଦ୍ଵାରସ୍ଥ ହେଲେ ପୀତବାସ ପଣ୍ଡା

0
209

ବ୍ରହ୍ମପୁର,୧୯/୦୮/୨୦୨୧:ଓଡିଶାର ଶିକ୍ଷାଦାନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ମରୁଡି ନେଇ ବ୍ରହ୍ମପୁରର ଜଣା ଶୁଣା ଆଇନଜୀବି ତଥା କଂଗ୍ରେସ ନେତା ପୀତବାସ ପଣ୍ଡା ଓଡିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି l ଆଜି ଏକ ଜନସ୍ୱାସ୍ଥ ମାମଲା ଦାଖଲ କରି ଶ୍ରୀ ପଣ୍ଡା ମାନ୍ୟବର ଅଦାଲତଙ୍କୁ ନିବେଦନ କରିଛନ୍ତି ଯେ ଶୀଘ୍ର ଅଧ୍ୟାପକ ନିଯୁକ୍ତି କରାଯାଇ କଲେଜରେ ଶିକ୍ଷାର ବାତାବରଣକୁ ପୁନଃ ପ୍ରଚଳନ କରାଯାଉ l ଅଧ୍ୟାପକ ନଥିବାରୁ ବହୁ ମେଧାବୀ ଛାତ୍ର ଛାତ୍ରୀ ଶିକ୍ଷାପ୍ରାପ୍ତିରୁ ବଂଚିତ ହେବାସହ ସେମାନଙ୍କ ଭବିଷ୍ୟତ ମଧ୍ୟ ପ୍ରଭାବିତ ହେଉଛି l ଏହି ଘଟଣା ରାଜ୍ୟ ସରକାରଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନଥିବା ଶ୍ରୀ ପଣ୍ଡା ମାନ୍ୟବର ଅଦାଲତକୁ ଜଣାଇଛନ୍ତି।ଏପରିସ୍ଥଳେ ମାନ୍ୟବର ଅଦାଲତଙ୍କ ଆଶ୍ରୟ ନେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଶ୍ରୀ ପଣ୍ଡା ନିଜ ଆବେଦନରେ ଦର୍ଶାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ ଦେଢ଼ଶହ ବର୍ଷର ଏହି ପୁରାତନ ମହାବିଦ୍ୟାଳୟ ରେ ପ୍ରଫେସର ଓ ଅଧ୍ୟାପକ ମିଶି ୮୮ ଜଣ ରହିବା ପରିବର୍ତ୍ତେ ମାତ୍ର ୨୬ ଜଣ ଅଧ୍ୟାପକ ଅଛନ୍ତି । ନିକଟ ରେ ରାଜ୍ୟ ସରକାର ଏହି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଛନ୍ତି କିନ୍ତୁ ଦୁଃଖର କଥା ୧୧ ଜଣ ପ୍ରଫେସର ରହିବା ଆବଶ୍ୟକ ଥିବା ବେଳ ଜଣେ ବି ନାହାନ୍ତି l ଏପରିକି ଅର୍ଥଶାସ୍ତ୍ର, ହିନ୍ଦୀ, ପରିସଂଖ୍ୟାନ, ଓ ତେଲୁଗୁ ପରି ବିଭାଗ ଗୁଡ଼ିକରେ କୌଣସି ଜଣେ ମଧ୍ୟ ଅଧ୍ୟାପକ ନଥିବା ଜଣା ଯାଇଛି l ଏପରିସ୍ଥଳେ ଶିକ୍ଷାଦାନ କିପରି ହେବ ବୋଲି ଆଇନଜୀବି ତଥା ଉକ୍ତ କଲେଜର ପୂର୍ବତନ ଛାତ୍ର ସାଂସଦର ସମ୍ପାଦକ ରହିଥିବା ଶ୍ରୀ ପଣ୍ଡା ମାନ୍ୟବର କୋର୍ଟଙ୍କୁ ନିବେଦନ କରିଛନ୍ତି l
ଆବେଦନକାରୀ ଶ୍ରୀ ପଣ୍ଡା ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ କୁ ଶୀଘ୍ର ପୂର୍ଣ୍ଣ କରିବାକୁ ରାଜ୍ୟ ସରକାର ତଥା ଉଚ୍ଚଶିକ୍ଷା ବିଭାଗକୁ ନିର୍ଦେଶ ଦେବାକୁ ନିବେଦନ କରିଛନ୍ତି l ଆବେଦନକାରୀଙ୍କ ତରଫରୁ ଆଇନଜୀବି ସିଦ୍ଧାର୍ଥ ଦାସ ମକଦମା ଲଡ଼ୁଛନ୍ତ l

LEAVE A REPLY

Please enter your comment!
Please enter your name here