ଗଞ୍ଜାମ ଜିଲ୍ଲାର ଉଚ୍ଚ ବିଦ୍ୟାଳୟର ଦ୍ବିତୀୟ ପର୍ଯ୍ୟାୟର ରୂପାନ୍ତରୀତ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ

0
133

ଛତ୍ରପୁର, ୦୬/୧୧/୨୦୨୧: ଗଞ୍ଜାମ ଜିଲ୍ଲାରେ ୫-ଟି ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀ କରଣ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ସମ୍ପର୍କିତ ଦ୍ବିତୀୟ ଦିନର ଆଭାସୀ ବୈଠକ ଶନିବାରଦିନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ଆଭାସୀ ମାଧ୍ୟମରେ ଶନିବାର ଗଞ୍ଜାମ ଜିଲ୍ଲାର ପୋଲସରା, ଚିକିଟି, ଜଗନ୍ନାଥ ପ୍ରସାଦ, ପାତ୍ରପୁର, ଛତ୍ରପୁର, ବେଗୁନିଆପଡା, ବୁଗୁଡା, କବିସୂର୍ଯ୍ୟନଗର, ସୋରଡା ଏବଂ ଗଞ୍ଜାମ ବ୍ଲକ୍ ଗୁଡିକର ସରପଞ୍ଚ, ବିଦ୍ୟାଳୟ କମିଟିର ସଭାପତି, ଆଲୁମିନା, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ । ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କ ସହିତ ସଚିବ ଶ୍ରୀ ପାଣ୍ଡିଆନ୍ ଆଲୋଚନା କରି ସେମାନଙ୍କର ଭବିଷ୍ୟତ କଣ ଏବଂ କିପରି ଭବିଷ୍ୟତ ଗଢି ନିଜ ସ୍ବପ୍ନକୁ ସାକାର କରିବେ ତାହା ଜଣାଇଥିଲେ । ତତ୍ ସହିତ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ କଣ ପଚାରି ବୁଝିଥିଲେ । ଏହି ରୂପାନ୍ତରୀତ କାର୍ଯ୍ୟ ଗୁଡିକ ସଫଳ ନିମନ୍ତେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଜଣାଇବା ସହ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସଚିବ ଶ୍ରୀ ପାଣ୍ଡିଆନ୍ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ଏହି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀତ କାର୍ଯ୍ୟକ୍ରମ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ । ସରକାରୀ କାର୍ଯ୍ୟଭାବେ ଗ୍ରହଣ ନ କରି ଏହାକୁ ସାମାଜିକ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିବାକୁ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ର ସଫଳ ରୂପାୟନ ହେଲେ ଆଗାମୀ ଭବିଷ୍ୟତ ପିଢୀଙ୍କ ପାଇଁ ଅନେକ ସମ୍ଭାବନା ଆଣିବ । ବିଦ୍ୟାଳୟର ରୂପାନ୍ତର ହେବାପରେ ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲା ମାନଙ୍କର ଭବିଷ୍ୟତ ଉଜ୍ଜଳ ହେବ ଏବଂ ସେମାନେ ଯାହା ସ୍ବପ୍ନ ଦେଖୁଛନ୍ତି ତାହା ସାକାର ହେବା ଦିଗରେ ଅନେକ ସହଯୋଗ କରିବ । “ମୁଖ୍ୟମନ୍ତ୍ରୀଙ୍କ ସ୍ଲୋଗାନ ସ୍କୁଲ ଯିବା ଭଲପାଠ ପଢିବା, ବାପା ମାଆଙ୍କର ସୁନାମ ଆଣିବା” ନିଶ୍ଚିତ ରୂପେ ସଫଳ ହୋଇ ପାରିବା ଏହି ସମ୍ପର୍କିତ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା । କରୋନା ସମୟରେ ଦେଶର ଅର୍ଥନୀତି ଭୂଷୁଡି ଯାଇଛି ସେହି ସମୟରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ରୂପାନ୍ତରୀତ କାର୍ଯ୍ୟ ସକାଶେ ଅନୁଦାନ ପ୍ରଦାନ କରିଛନ୍ତି । ତେଣୁ ଏହାର ଗୁରୁତ୍ବ ଏବଂ ଅର୍ଥର ସୁବିନିଯୋଗ କରିବା ସାଥେସାଥେ ସବୁଥିରେ ସ୍ବଚ୍ଛତା ବଜାୟି କମ୍ୟୁନିଟିର ସହଯୋଗ କ୍ରମେ ଏହି କାର୍ଯ୍ୟ କରିବାକୁ ସଚିବ ଶ୍ରୀ ପାଣ୍ଡିଆନ୍ ଅନୁରୋଧ କରିଥିଲେ । ଏହି ଦ୍ବିତୀୟ ପର୍ଯ୍ୟାୟରେ କରାଯାଉଥିବା ରୂପାନ୍ତରୀତ ଉଚ୍ଚ ବିଦ୍ୟାଳୟ ଗୁଡିକ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆଗାମୀ ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସରେ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ଏଣୁ ଯଥା ସମୟରେ ଏହି ରୂପାନ୍ତରୀତ କାର୍ଯ୍ୟ ଶେଷ କରିବାପାଇଁ ଅନୁରୋଧ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ବୈଠକରେ ଯୋଗ ଦେଇ ନିଜ ବକ୍ତବ୍ୟରେ ଜଣାଇଥିଲେଯେ, ଗଞ୍ଜାମ ଜିଲ୍ଲାରେ ସର୍ବ ପ୍ରଥମେ ପାଇଲଟ୍ ପ୍ରୋଜେକ୍ଟ ଭାବେ ୫୦ ଗୋଟି ବିଦ୍ୟାଳୟକୁ ରୂପାନ୍ତରୀତ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୮୩ ଗୋଟି ବିଦ୍ୟାଳୟ ଏବଂ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟରେ ୨୩୩ ଗୋଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀତ ହେବାକୁ ଯାଉଛି । ଏହି ରୂପାନ୍ତରୀତ କାର୍ଯ୍ୟ ସମାପନ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଛାତ୍ରଛାତ୍ରୀଗଣଙ୍କ ଯେଉଁ ସ୍ବପ୍ନ ରହିଛି ସେମାନେ ବଡ ହେଲେ କଣ ହେବେ ତାହା ଯେପରି ପୂରଣ ହେବ ସେଥିନେଇ କ୍ୟାରିଅର୍ କାଉନସେଲିଂ କରାଯାଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦେଖାଇବାରେ ସହଯୋଗ ହେବ । ଆଜିର ଏହି ବୈଠକରେ ୧୦ ଗୋଟି ବ୍ଲକ୍ ର ଜନ ପ୍ରତିନିଧି, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଧିକାରୀଗଣ ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ରାୟ, ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here