ନନ୍ଦିନୀ ଦେବୀଙ୍କ ଯୋଗଦାନରେ ସାନଖେମୁଣ୍ଡି ବିଜେଡି ପାଳିଲା ୨୫ ତମ ପ୍ରତିଷ୍ଠା ଦିବସ ।

0
733

ବ୍ରହ୍ମପୁର,୨୬/ ୧୨/ ୨୦୨୧ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ , ଇଣ୍ଡୋନେସିଆର ଭୂମିପୁତ୍ର , ପ୍ରବାଦ ପୁରୁଷ ସ୍ବର୍ଗତ ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକଙ୍କ ଓଡ଼ିଶା ପ୍ରଗତି ପାଇଁ ଦେଖିଥିବା ସୁନେଲି ସ୍ବପ୍ନକୁ ସାକାର କରାଇବା ପାଇଁ ତତ୍କାଳୀନ ବିଜୁ ଅନୁଗତ ବିଜୁ ତନୟ ନବୀନଙ୍କୁ ପ୍ରଦର୍ଶିତ କରି ଗଠନ କରିଥିବା ବିଜୁ ଜନତା ଦଳ ( ବିଜେଡି ) ଆଜି ତାର ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରୁଅଛି । ଦଳ ଗଠନର ୨୫ ବର୍ଷ ମଧ୍ୟରେ କ୍ରମାଗତ ଭାବେ ବିଜୟ ଶଙ୍ଖ ନିର୍ବାଚନ ପ୍ରତୀକକୁ ନେଇ ବିଜେଡି ୨୨ ବର୍ଷଧରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଉପସ୍ଥାପନ କରି ଓଡ଼ିଆଙ୍କ ପ୍ରିୟ ଭାଜନ ହେବା ସହ ଏକ ଆଦର୍ଶ ସରକାର ଭାବରେ ବହୁବାର ଜାତୀୟ ସ୍ତରରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ପ୍ରତିଷ୍ଠା କରିଅଛି । ଶିକ୍ଷା , ସ୍ବାସ୍ଥ୍ୟ , ଗମନାଗମନ , ନିଯୁକ୍ତି , ନାରୀ ଶିକ୍ଷା ସହ ସଶକ୍ତିକରଣ ଏବଂ ଆନୁଷଙ୍ଗିକ ସମାଜ କଲ୍ୟାଣ ଯୋଜନାର ପ୍ରଣୟନ ସହିତ ଫଳପ୍ରସୂ ରୂପାୟନ କରି ଓଡ଼ିଶା ବିକାଶର ମାନଚିତ୍ରକୁ ଦୃତ ପରିବର୍ତ୍ତନ କରିଥିବା ବିଜେଡି ଆଜିର ଦିନକୁ ରାଜ୍ୟ , ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ସ୍ତରରେ ଉଦ୍ଦୀପନାର ସହିତ ପାଳନ କରୁଥିବା ବେଳେ ଆଜି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ପାଳିତ ହୋଇଅଛି । ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜୁ ମହିଳା ଜନତା ଦଳ ଉପଦେଷ୍ଟା ,ଧରାକୋଟ ରାଜମାତା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ଯୋଗଦାନରେ ଆଦି ଧରାକୋଟ ଏବଂ ସାନଖେମୁଣ୍ଡି ବ୍ଲକରେ ପୃଥକ ଭାବେ ପାଳନ ଦିବସର ଆୟୋଜନ କରି ବିଜେଡି ଅନୁଗତଙ୍କୁ ଅନୁପ୍ରାଣିତ କରିବା ସହ ଆସନ୍ତା ସମୟ ପାଇଁ ପ୍ରକ୍ରିୟା ଯାରୀ ରଖିବାକୁ ଆହ୍ଵାନ ଦେଇଅଛି ।

ଆଜି ଅପରାହ୍ନରେ ଧରାକୋଟରେ ଆୟୋଜିତ ବ୍ଲକ୍ ବିଜେଡିର ବାର୍ଷିକ ଉତ୍ସବ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ତଥା ବିଜେଡି ସଂଗଠକ ସୁବାସ ମହାରଣା ଯୋଗ ଦେଇଥିବା ବେଳେ ଧରାକୋଟ ରାଜା ସାହେବା ସୁଶ୍ରୀ ସୁଲକ୍ଷଣା ଦେବୀ , ସଞ୍ଜୟ ରେଡ୍ଡୀ , ରବୀନ୍ଦ୍ର ଘୋଷ , ବ୍ଲକ୍ ଅଧ୍ୟକ୍ଷା ରିନା ଗୌଡ଼ , ଉପାଧ୍ୟକ୍ଷ ବଳବନ୍ତ ସିଂ , ମାନସ ରଞ୍ଜନ ଜେନାଙ୍କ ସହ ସମସ୍ତ ଦଳୀୟ ପଂଚାୟତ ଜନପ୍ରତିନିଧି ଓ ବିଜୁ ଅନୁଗତ ଯୋଗଦେଇ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ ଅନୁରୂପ ଭାବେ ଡେଙ୍ଗାଉସ୍ତାରେ ଆୟୋଜିତ ସାନଖେମୁଣ୍ଡି ବ୍ଲକ୍ ବିଜେଡିର ୨୫ ତମ ବାର୍ଷିକ ଉତ୍ସବ ପାଳନ ଦିବସରେ ବ୍ଲକ୍ ଅଧିନ ନିର୍ବାଚିତ ଜନ ପ୍ରତିନିଧି , ବିଜେଡି ସଂଗଠନ କର୍ମକର୍ତ୍ତା ଓ ଛାମୁଆଁ କର୍ମୀଙ୍କ ସମାବେଶ ହୋଇଥିଲା । ସିଙ୍ଗାପୁର ଗ୍ରାମରୁ ଟୁକୁନା ରଥ ଓ ଶିମଞ୍ଚଳ ବେହେରାଙ୍କ ସହ ଶତାଧିକ ସମର୍ଥକ ନନ୍ଦିନୀ ଦେବୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ବାଇକ ରାଲିରେ ସଭାସ୍ଥଳରେ ପହଞ୍ଚିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ନନ୍ଦିନୀ ଦେବୀଙ୍କ ସହ ସ୍ଥାନୀୟ କର୍ମକର୍ତ୍ତା ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ଏବଂ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ମଞ୍ଚରେ ସ୍ଥାପନ କରାଯାଇଥିବା ବିଶାଳ ଟିଭି ପରଦା ମାଧ୍ୟମରେ ପାଳନ ଦିବସ ଅବସରରେ ରାଜ୍ୟ ବିଜେଡି ଅଧ୍ୟକ୍ଷ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତା ଓ ଦଳୀୟ ଉଦବୋଧନର ସିଧା ପ୍ରସାରଣକୁ ସଭାରେ ପ୍ରଦର୍ଶିତ କରାଯାଇଥିଲା । ବ୍ଲକ୍ ବିଜେଡି ସଭାପତି ନୀଳମାଧବ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ବାଇଁ , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ ମହିଳା ବିଜେଡି ସଭାନେତ୍ରୀ ମମତା ପ୍ରଧାନ , ଯୁବ ବିଜେଡି ସଭାପତି ସନ୍ତୋଷ ବିଷୋୟୀଙ୍କ ସମେତ ସମସ୍ତ ବିଜେଡି ଜିଲ୍ଲା ପରିଷଦ ସଭ୍ୟ , ସରପଞ୍ଚ , ସମିତି ସଭ୍ୟଙ୍କ ସହିତ ବରିଷ୍ଠ ନେତୃତ୍ୱ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here