ଦଳିତ ନାବାଳିକାକୁ ଗଣବଳତ୍କାର ଘଟଣାରେ ବୁଗୁଡା ପୋଲିସର ସନ୍ଦେହଜନକ ଭୂମିକା ନେଇ ଡିଆଇଜିଙ୍କୁ ଦଳିତ ମହାସଭାର ସ୍ମାରକପତ୍ର

0
422

ବ୍ରହ୍ମପୁର,୩୧/୧୨/୨୦୨୧: ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଜଣେ ଦଳିତ ନାବାଳିକା ପ୍ରତି ହୋଇଥିବା ଗଣଦୁଷ୍କର୍ମ ଘଟଣାରେ ବୁଗୁଡା ପୋଲିସର ସନ୍ଦେହଜନକ ଭୂମିକା ନେଇ ଆଜି ଗଞ୍ଜାମ ଜିଲ୍ଲା ଦଳିତ ମହାସଭା ପକ୍ଷରୁ ଆଜି ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ଭେଟିବା ସହ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୧୨ ଡିସେମ୍ବର ରାତିରେ ସମ୍ପୃକ୍ତା ନାବାଳିକା ପରିସ୍ରା କରିବାକୁ ନିଜ ବାଡିକୁ ଯାଇଥିବା ବେଳେ ସେହି ଗାଁର ଚାରି ଜଣ ଯୁବକ ତାର ମୁହଁରେ ଗାମୁଛା ଦେଇ ନିକଟସ୍ଥ ଶାଗୁଆନ ବାଡିକୁ ନେଇଯାଇଥିଲେ । ସେଠାରେ ତାକୁ ସେମାନେ ରାତିସାରା ସାମୁହିକ ବଳତ୍କାର କରିବା ପରେ ତାକୁ ଅଚେତ ଅବସ୍ଥାରେ ସେଠାରେ ପକେଇ ଦେଇ ଚାଲିଯାଇଥିଲେ । ଏ ସମ୍ପର୍କରେ ନାବାଳିକା ପକ୍ଷରୁ ଏକ ଏତଲା ବୁଗୁଡା ଥାନାରେ ଦେବା ପରେ ପୋଲିସ ତାକୁ ନରଖି ପୀଡିତାକୁ ମାଡମାରି ଆଉ ଏକ ଏତଲା ଲେଖିବାକୁ ବାଧ୍ୟ କରିଥିଲେ । ସେଥିରେ ବଳତ୍କାର ବଦଳରେ କେବଳ ଅସଦାଚରଣ କରିବା କଥା ଉଲ୍ଲେଖ ରହିଛି । ପୋଲିସର ଏହି ବେଆଇନ କାର୍ଯ୍ୟ ବିରୋଧରେ ଆଜି ଗଞ୍ଜାମ ଜିଲ୍ଲା ଦଳିତ ମହାସଭାର ଆବାହକ ସଂଗ୍ରାମ ନାୟକ, ଅମର ନାଇକ, ଖଦାଳ ସମାଜର ସଭାପତି ବୈରାଗୀ ନାଇକ, ସମିତି ସଭ୍ୟ ଟୁନା ନାଇକ ଆଦି କର୍ମକର୍ତ୍ତାମାନେ ସ୍ଥାନୀୟ ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରି ବୁଗୁଡା ଆଇଆଇସିଙ୍କ ଭୂମିକା ନେଇ ତଦନ୍ତ କରିବାକୁ ତଥା ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ସାମାଜିକ କର୍ମୀ ଲକ୍ଷ୍ମୀ ନୃସିଂହ ରଥ ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here