ଦିବଙ୍ଗତ ଅତିରିକ୍ତ ଜିଲ୍ଲାପାଳଙ୍କ ପରିବାରକୁ ସମବେଦନା ରାଶି ପ୍ରଦାନ

0
410

ବ୍ରହ୍ମପୁର, ୦୮/୦୧/୨୦୨୨: ଗତ କୋଭିଡ ସମୟରେ ମୃତ ଗଜପତିର ଅତିରିକ୍ତ ଜିଲ୍ଲାପାଳ ସ୍ୱର୍ଗତ କରୁଣାକର ରାଇକାଙ୍କ ପରିବାର ବର୍ଗକୁ ଓଡ଼ିଶା ପ୍ରାଶାସନିକ ସେବା ସଙ୍ଘ ପକ୍ଷରୁ ପଚାଶ ହଜାର ଟଙ୍କାର ସମବେଦନା ସହାୟତା ରାଶି ପ୍ରଦାନ କରାଯାଇଛି। ଏଥିପାଇଁ ସଙ୍ଘର ସଭାପତି ସରୋଜ କୁମାର ସାମଲ, ସମ୍ପାଦକ ଜ୍ୟୋତିରଞ୍ଜନ ମିଶ୍ର ଏବଂ ଉପ ସଭାପତି ବିଜୟ କୁମାର ସ୍ୱାଇଁଙ୍କ ପରାମର୍ଶ କ୍ରମେ ସଙ୍ଘର ଗଞ୍ଜାମ ଜିଲ୍ଲା ଶାଖା ପ୍ରତିନିଧିଗଣ ସ୍ୱର୍ଗତ ରାଇକାଙ୍କ ପତ୍ନୀ ସୁରଭି ସୁଶ୍ରୀ ମହାରଣାଙ୍କୁ ତାଙ୍କର ବ୍ରହ୍ମପୁର ଅଯୋଧ୍ୟା ନଗରସ୍ଥିତ ବାସଭବନରେ ସାକ୍ଷାତକରି ଉକ୍ତ ସମବେଦନା ରାଶି ବାବଦ ଚେକ୍ ପ୍ରଦାନ କରିଛନ୍ତି। ଶ୍ରୀମତି ମହାରଣା ଓଏଏସ ସଙ୍ଘ ପ୍ରତି କୃତଜ୍ଞତା ଜ୍ଞାପନ କରିଥିବା ବେଳେ ଏହି ପ୍ରକାର ପରମ୍ପରାକୁ ସଙ୍ଘ ଦ୍ଵାରା ବଜାୟ ରଖାଯାଇ ପାରିବା ନେଇ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ସ୍ୱର୍ଗତ କରୁଣାକର ରାଇକା କାର୍ଯ୍ୟରତ ଥିବା ସମୟରେ କୋଭିଡ ଆକ୍ରାନ୍ତ ହୋଇ ୨୦୨୦ ମସିହା ଜୁଲାଇ ୨୧ ତାରିଖରେ ମୃତ୍ୟୁବରଣ କରିଥିଲେ। ତେଣୁ ବିଭିନ୍ନ ସମୟରେ ନିଜ ସଦସ୍ୟ ସଦସ୍ୟାଙ୍କ ସୁଖଦୁଃଖରେ ସାମିଲ ହୋଇଆସିଥିବା ଓଏଏସ ସଙ୍ଘ ସ୍ୱର୍ଗତ ରାଇକାଙ୍କ ପରିବାରଙ୍କ ନିକଟରେ ପହଞ୍ଚି ଆଶ୍ୱାସନା ଦେବା ସହ ତାଙ୍କ ସନ୍ତାନ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି। ଆଜିର କାର୍ଯ୍ୟକ୍ରମରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସଚିବ ସମ୍ବିତ ରାଉତ, ଡେପୁଟି କଲେକ୍ଟର ଶୁଭଶ୍ରୀ ରଥ, କୁକୁଡାଖଣ୍ଡି ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ, ଜିଲ୍ଲା ଭୂଅର୍ଜନ ଅଧିକାରୀ ରାଜକିଶୋର ଜେନା, ବ୍ରହ୍ମପୁର ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର ତଥା ଗଞ୍ଜାମର ଅନ୍ୟାନ୍ୟ ଓଏଏସ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here