ଦକ୍ଷିଣ ଘୁମୁସର ବନଖଣ୍ଡରେ ୪୬୩୬ କୃଷ୍ଣସାର ମୃଗ

0
195

ବୁଗୁଡା, ୦୧/୦୨/୨୦୨୩:ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ଆସିକା, ପୋଲସରା ଓ ବୁଗୁଡା ବନାଞ୍ଚଳରେ ୨୦୨୩ ମସିହା କୃଷ୍ଣସାର ମୃଗ ଗଣନା ଶେଷ ହୋଇଥିବା ବେଳେ ଅଣ୍ଡିରା, ମାଈ ଓ ଯୁବ ମୃଗ ସଂଖ୍ୟା ମିଶି ୪୬୩୬ ହୋଇଥିବା ଡି.ଏଫ.ଓ. ଦିଲ୍ଲୀପ କୁମାର ରାଉତ ପ୍ରକାଶ କରିଛନ୍ତି। ପ୍ରତି ଦୁଇବର୍ଷରେ ଗଣନା ହେଉଥିବା ବେଳେ ୨୦୨୧ ରେ କୃଷ୍ଣସାର ମୃଗ ସଂଖ୍ୟା ୪୪୮୩ ଥିବାବେଳେ ଦୁଇ ବର୍ଷରେ ଏହି ୧୫୩ ଟି ବୃଦ୍ଧି ପାଇଛି। ଅର୍ଥାତ ଦୁଇ ବର୍ଷରେ ୩.୪୧ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୩ ଗଣନା ପ୍ରକାରେ ଦକ୍ଷିଣ ଘୁମୁସର ବନଖଣ୍ଡରେ ଅଣ୍ଡିରା କୃଷ୍ଣସାର ମୃଗ ସଂଖ୍ୟା ୯୩୮ ଥିବା ବେଳେ ମାଈ କୃଷ୍ଣସାର ମୃଗ ସଂଖ୍ୟା ୨୯୯୯ ଓ ଯୁବ କୃଷ୍ଣସାର ମୃଗ ସଂଖ୍ୟା ୬୯୯ ଥିବା ଜଣାପଡିଛି। ବନାଞ୍ଚଳ ଅନୁସାରେ ଆସିକା ବନାଞ୍ଚଳରେ ମୋଟରେ ୧୯୭୯ କୃଷ୍ଣସାର ମୃଗ ଥିବା ବେଳେ ସେମାନଙ୍କ ମଧ୍ୟରେ ଅଣ୍ଡିରା ସଂଖ୍ୟା ୩୩୧, ମାଈ ସଂଖ୍ୟା ୧୩୬୬ ଓ ଯୁବ ସଂଖ୍ୟା ୨୮୨ ଅଟେ। ସେହିପରି ପୋଲସରା ବନାଞ୍ଚଳରେ ମୋଟ ସଂଖ୍ୟା ୪୪୫ ଥିବା ବେଳେ ସେଥିରୁ ଅଣ୍ଡିରା ୮୩, ମାଈ ୨୯୭ ଓ ଯୁବ ୬୫ ଅଟେ। ସବୁଠାରୁ ଅଧିକ ସଂଖ୍ୟକ ୨୨୧୨ କୃଷ୍ଣସାର ମୃଗ ବୁଗୁଡା ବନାଞ୍ଚଳରେ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଣ୍ଡିରା କୃଷ୍ଣସାର ମୃଗ ସଂଖ୍ୟା ୫୨୪, ମାଈ କୃଷ୍ଣସାର ମୃଗ ସଂଖ୍ୟା ୧୩୩୬ ଓ ଯୁବ କୃଷ୍ଣସାର ମୃଗ ସଂଖ୍ୟା ୩୫୨ ଅଟେ। ଅନ୍ୟ ବନ୍ୟପ୍ରାଣୀ ସଂଖ୍ୟା କମୁଥିବା ବେଳେ ବନ ବିଭାଗ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା, ପ୍ରାଣୀ ପ୍ରେମୀଙ୍କ ନଜର ଏବଂ ଅଞ୍ଚଳ ଗ୍ରାମବାସୀଙ୍କ ସହଯୋଗ ଯୋଗୁଁ ଘୁମୁସର ବନଖଣ୍ଡରେ ବନ୍ୟପ୍ରାଣୀ କୃଷ୍ଣସାର ମୃଗ ସଂଖ୍ୟା ବୃଦ୍ଧି ପାଇପାରିଛି।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here