*ଦିନକ ପରେ ନବରାତ୍ର ପୂଜା ,* *ଲଗାଣ ବର୍ଷାରେ ମାଁ ଚାମୁଣ୍ଡାଦେବୀ ପୀଠ ରାସ୍ତା ବେହାଲ୍ !*

0
191

 

ଦିଗପହଣ୍ଡି,୨୭ା୯
ଦିଗପହଣ୍ଡି ସହର ଉପକଣ୍ଠ ମେଣ୍ଢା ଢିମିରା ପାହାଡ ତଥା ଏବେକାର ଚାଙ୍ଗୁଡିଦେଇ ପର୍ବତ ଶିଖରରେ ଅବସ୍ଥାପିତ ଥିବା ମାଁ ଚାମୁଣ୍ଡା ଦେବୀ ପୀଠରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଶାରଦୀୟ ନବରାତ୍ର ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ହେବ । ଆସନ୍ତା ୨୯ ଅକ୍ଟୋବରରେ ବିଲ୍ୱଧିବେଶନ ହେବା ପରେ ପାରମ୍ପରିକ ରିତୀନିତୀକାନ୍ତି ମୁତାବକ ମାଁଙ୍କ ପୀଠରେ ହୋମ ଯଜ୍ଞ ସଙ୍କୀର୍ତ୍ତନ ଏବଂ ଚଣ୍ଡୀପାଠ ଆଦି ଅନୁଷ୍ଠିତ ହେବ । ତେବେ ସମ୍ପ୍ରତ୍ତି ଘନୀଭୂତ ଲଗାଣ ବର୍ଷାରେ ଦେବୀ ପୀଠକୁ ରହିଥିବା ରାସ୍ତାଟି ସମ୍ପୂର୍ଣ୍ଣ କଚ୍ଚା ହୋଇଯାଇଛି । କାହିଁ କେଉଁ ଆବାହମାନ କାଳରୁ ଖେମୁଣ୍ଡି ରାଜବଂଶ ଏବଂ ଖେମୁଣ୍ଡି ଐତିହାସିକ କୀର୍ତ୍ତିରାଜିକୁ ବହନ କରି ଆସୁଥିବା ମେଣ୍ଢା ଢିମିରା ପର୍ବତର୍ରେହିଥିବା ଏହି ମନ୍ଦିରଟି ପରିତ୍ୟକ୍ତ ହୋଇ ପଡି ରହିଥିଲା । ମହେନ୍ଦ୍ରଗିରି ପୀଠର ସାଧୁ ଭାଷ୍କରତୀର୍ଥ ଲକ୍ଷ୍ମୀ ବାବା ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ଯୁବକମାନଙ୍କ ଦ୍ୱାରା ୨୦୧୭ ମସିହାରୁ ମନ୍ଦିରର ଜୀର୍ଣ୍ଣୋଦ୍ଧାର କରାଯିବା ପରେ ଦେବୀ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିଲା । ଦେବୀ ପୀଠରେ ଦୈନିକ ନିତୀକାନ୍ତି ମୁତାବକ ପୂଜାର୍ଚ୍ଚନା ସାନ୍ଧ୍ୟଆଳତୀ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବର୍ଷରେ ଦୁଇଥର ନବରାତ୍ର ପୂଜାର୍ଚ୍ଚା ହୋଇ ଆସୁଅଛି । ବାସନ୍ତିକ ନବରାତ୍ର ଏବଂ ଶାରଦୀୟ ନବରାତ୍ର ପୂଜା ମାଁ ଚାମୁଣ୍ଡାଦେବୀଙ୍କ ପୀଠରେ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମି ରହୁଛି । ପର୍ବତ ଶିଖରରେ ରହିଥିବା ମନ୍ଦିରଟି ଶ୍ରଦ୍ଧାଳୁ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ସହରବାସୀଙ୍କ ଉଦ୍ୟମରେ ମାଁଙ୍କ ପୀଠକୁ ବିଦ୍ୟୁତ୍ ଆଲୋକ ଏବଂ ପାନୀୟ ଜଳର ଯୋଗାଣ ବ୍ୟବସ୍ଥା ହୋଇପାରିଛି । ମାଁଙ୍କ ପୀଠକୁ ପକ୍କା ସଡକ ନଥିବା ବେଳେ ବିଲ ହୁଡା ରାସ୍ତାହିଁ ଏକାନ୍ତ ମାତ୍ର । ଦିଗପହଣ୍ଡି ରାୟଗଡା ମୁଖ୍ୟ ରାସ୍ତା ୩୨୬ନଂ ଜାତୀୟ ରାଜପଥର ମାତ୍ର ଅଳ୍ପ କିଛି ଦୂରତାରେ ଏହି ପର୍ବତ ରହିଛି । ପର୍ବତ ଉପରେ ମାଁଙ୍କ ପୀଠ ରହିଛି । ଜାତୀୟ ରାଜପଥରୁ ପର୍ବତ ପଯ୍ୟନ୍ତ ରହିଥିବା ବିଲ ହୁଡା ମାଟି ରାସ୍ତାଟି କଚ୍ଚା ହୋଇଥିବା ବେଳେ ଗତ ୪ ଦିନ ଧରି ଲାଗି ରହିଥିବା ଝଡି ବର୍ଷାରେ ଉକ୍ତ ରାସ୍ତା କଚ୍ଚା ହୋଇଯାଇଛି । ପାଣି କାଦୁଅରେ ନଷ୍ଟ ହୋଇଯାଇଥିବା ବେଳେ ଯୁଦ୍ଧକାଳୀନ ପରିସ୍ଥିତିରେ ରାସ୍ତା ସଜଡାଯିବା ନେଇ ଚେଷ୍ଟା କରାଯାଉଥିବା ଦେଖିବାକୁ ମିଳିଛି । ମନ୍ଦିରଟିକୁ ଖେମୁଣ୍ଡି ରାଜବଂଶ ସହିତ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ଜଡିତ ରହିଥିବାରୁ ଏହାର ସୁରକ୍ଷା ନେଇ ସରକାରୀ ସ୍ତରରେ ମଧ୍ୟ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି । ନବରାତ୍ରକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁମାନଙ୍କ ପାଇଁ ସୁବନ୍ଦୋବସ୍ତ କରିବା ଏବଂ କଚ୍ଚା ରାସ୍ତାକୁ ସୁଗମ କରିବା ସକାଶେ ସମସ୍ତ କ୍ଷେତ୍ରରେ ସହାୟତାର ଆବଶ୍ୟକତା ରହିଛି ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜଣାଯାଇଛି । ନବରାତ୍ରର ସମସ୍ତ କାର୍ଯ୍ୟକ୍ରମକୁ ସୀତାରମ ପାଣିଗ୍ରାହୀ, ପ୍ରହଲ୍ଲାଦ ସ୍ୱାଇଁ, ରଘୁନାଥ ପାଣିଗ୍ରାହୀ, ମିଲନ କୁମାର ପାଣିଗ୍ରାହୀ, ବିଘ୍ନରାଜ ପାଣିଗ୍ରାହୀ, ଶଙ୍କର୍ଷଣ ରଥ, ଅମରଦୀପ୍ ପଣ୍ଡା, ରାକେଶ ପଶୁପାଳକ, ସୁରେନ୍ଦ୍ର ପଟ୍ଟନାୟକ, ସମୀରକାନ୍ତ ତ୍ରିପାଠୀ ପ୍ରମୁଖ ପରିଚାଳନା କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here