ପରୀ ହତ୍ୟାକାଣ୍ଡ ଘଟଣା:ହାଇକୋର୍ଟ ରେ ମାମଲା ର ପୂର୍ଣ୍ଣଛେଦ

0
439

କଟକ,୨୬/୦୩/୨୦୨୧: ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଏ ସଂପର୍କିତ ଦୁଇ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ‘ପରୀ’ର ମା’ ସୌଦାମିନୀ ସାହୁ ଘଟଣାର ସିବିଆଇ ତଦନ୍ତ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଜାନୁଆରି ୧୩ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଓଡ଼ିଶା ସରକାରଙ୍କ ସମେତ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଏପ୍ରିଲ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ପରୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ପ୍ରାର୍ଥନା କରି ଦାୟର ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ପ୍ରସଂଗକୁ ବିଚାରକୁ ନେଇ ଖଣ୍ଡପୀଠ ଆଜି ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଆବେଦନକାରୀ ଚାହିଁଲେ ସୁପ୍ରିମକୋର୍ଟରେ ବିଚାରାଧୀନ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଆଇନ ଅନୁସାରେ ପ୍ରକ୍ରିୟା ଅନୁସରଣ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ପରୀ ହତ୍ୟା ମାମଲାର ତଦନ୍ତ ସଂପର୍କିତ ଷ୍ଟାଟସ୍ ରିପୋର୍ଟକୁ ମୁଦା ଲଫାପାରେ ରଖିବାକୁ ହାଇକୋର୍ଟ ରେଜିଷ୍ଟ୍ରିକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଏହି ଘଟଣାରେ ପୁଲିସ ତଦନ୍ତ ଉପରେ ଭରସା ନାହିଁ, ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ଦର୍ଶାଇ ଆଇନଜୀବୀ ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ପ୍ରଥମେ ୨୦୨୦ ନଭେମ୍ବର ୨୫ରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ଏହାପରେ ପରୀ ପ୍ରସଙ୍ଗରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ମଧ୍ୟ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। ଗଲା ବର୍ଷ ଜୁଲାଇ ୧୪ରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା। ଜୁଲାଇ ୨୩ରେ ପରୀର କେବଳ କେତେଖଣ୍ଡ ହାଡ଼, ଖପୁରି, ଦାନ୍ତ ‌ଓ କେଶ ମିଳିଥିଲା। ପରୀର ହାତ ଗୋଡ, କିଡ୍‌ନି ଓ ଆଖି ମିଳି ନଥିଲା। କେହି ଦୁର୍ବୃତ୍ତ ପରୀକୁ ହତ୍ୟା କରିବା ପରେ ଅଖାରେ ତାର ଶବ ବାନ୍ଧି ପକାଇ ଦେଇଥିବା ସନ୍ଦେହ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here