ଉତ୍କଳ ଆଶ୍ରମ ପକ୍ଷରୁ କୃପାମୟ ଅନଙ୍ଗ ଭୀମଦେବଙ୍କ ତୈଳଚିତ୍ର ଉନ୍ମୋଚିତ। କୃପାମୟ ଦେବ ସ୍ମୃତି ସମାରୋହ ଅନୁଷ୍ଠିତ

0
97

ବ୍ରହ୍ମପୁର, ୨୪/୦୯/୨୦୨୨ : ଉତ୍କଳ ଆଶ୍ରମ ନ୍ୟାସ ପକ୍ଷରୁ ବଡ଼ଖେମୁଣ୍ଡି ରାଜ୍ୟର ତତ୍କାଳୀନ ପ୍ରଜା ହିତୈଷୀ ରାଜା ଗଜପତି ମହାରାଜ ଶ୍ରୀ କୃପାମୟ ଅନଙ୍ଗ ଭୀମଦେବଙ୍କ ଶହେତମ ଶ୍ରାଦ୍ଧବାର୍ଷିକୀ ଅବକାଶରେ ଆଜି ସନ୍ଧ୍ୟାରେ ଏକ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଥିଲା l ଉତ୍କଳ ଆଶ୍ରମ ନ୍ୟାସର ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶ ଉଦ୍ଘାଟନ କରିଥିଲେ l ଏହି ସ୍ମୃତି ସମାରୋହରେ ମୁଖ୍ୟଅତିଥି ରୂପେ ଯୋଗଦେଇ କୁଳପତି ପ୍ରଫେସର୍ ଦାଶ ଉତ୍କଳ ସମ୍ମିଳନୀ ଓ ଓଡ଼ିଶା ପ୍ରଦେଶ ଗଠନରେ କୃପାମୟ ଦେବଙ୍କ ମହନୀୟ ଭୂମିକା ସମ୍ପର୍କରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ lଗବେଷକ ଡ. ଅନନ୍ତରାମ କର କୌଣ୍ଡିନ୍ୟ ସ୍ମାରକୀ ବକ୍ତୃତା ପ୍ରଦାନ କରି ୧୮୭୬ ମସିହାରେ ଜନ୍ମିତ ବଡ଼ଖେମୁଣ୍ଡି ରାଜ୍ୟର ପୁଣ୍ୟଶ୍ଳୋକ ମହାରାଜ ଶ୍ରୀ କୃପାମୟ ଅନଙ୍ଗ ଭୀମଦେବଙ୍କ ପ୍ରଜା ହିତୈଷୀ କାର୍ଯ୍ୟ, ସାହିତ୍ୟ ସାଧନା, ଜାତୀୟତାବୋଧ ଓ ଓଡ଼ିଆ ଅସ୍ମିତା ସମ୍ପର୍କରେ ଆଲୋଚନା କରିଥିଲେ lବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର୍ ପ୍ରସନ୍ନ କୁମାର ସ୍ୱାଇଁ ସମ୍ମାନିତ ଅତିଥି ରୂପେ ଯୋଗଦେଇ କୃପାମୟ ଦେବଙ୍କ ସାରସ୍ୱତ ଜୀବନ ସମ୍ବନ୍ଧରେ ଆଲୋକପାତ କରିଥିଲେ l ବଡ଼ଖେମୁଣ୍ଡି ରାଜ ପରିବାରର ସଦସ୍ୟ ମୋହନ ପ୍ରସାଦ ଦେବ, ସୁଶାନ୍ତ ପ୍ରସାଦ ଦେବ, କିଶୋର ପ୍ରସାଦ ଦେବ ଓ ସାନଖେମୁଣ୍ଡି ରାଜ ପରିବାର ସଦସ୍ୟ ବୀରକିଶୋର ଦେବ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୂର୍ବଜ ମହାରାଜ କୃପାମୟ ଦେବଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l
ଶହେତମ ଶ୍ରାଦ୍ଧବାର୍ଷିକୀ ଅବକାଶରେ ବଡ଼ଖେମୁଣ୍ଡି ରାଜ ପରିବାରର ସଦସ୍ୟମାନଙ୍କ ସହଯୋଗିତାରେ ଉତ୍କଳ ଆଶ୍ରମ ନ୍ୟାସ ପକ୍ଷରୁ ଏହି ସ୍ମୃତି ସମାରୋହରେ କୃପାମୟ ଅନଙ୍ଗ ଭୀମଦେବଙ୍କ ଏକ ତୈଳଚିତ୍ର ଉନ୍ମୋଚନ କରାଯାଇଥିଲା l ଓଡ଼ିଶାର ସୁଖ୍ୟାତ ସମାଲୋଚକ, କୃତବିଦ୍ୟ ଗବେଷକ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ତଥା ଅତିବଡୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ ପ୍ରଫେସର୍ ସୁଦର୍ଶନ ଆଚାର୍ଯ୍ୟଙ୍କୁ ପ୍ରଥମ ଶ୍ରୀ କୃପାମୟ ଅନଙ୍ଗ ଭୀମଦେବ ସ୍ମୃତି ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଥିଲା l ଡ. ଅନନ୍ତରାମ କର କୌଣ୍ଡିନ୍ୟଙ୍କ ଦ୍ୱାରା ଲିଖିତ ‘ଗଜପତି ଶ୍ରୀ କୃପାମୟ ଅନଙ୍ଗ ଭୀମଦେବ’ ପୁସ୍ତିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା l ପ୍ରାରମ୍ଭରେ ଜଗନ୍ନାଥାଷ୍ଟକ ଗାନର ଭବ୍ୟ ବାତାବରଣ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କୁଳପତି ପ୍ରଫେସର୍ ଦାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଡ. ହୃଷୀକେଶ ପଣ୍ଡା ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ ଏବଂ ଡ. ଲମ୍ବୋଦର ପାଣିଗ୍ରାହୀ ପ୍ରାକ୍-ସୂଚନା ପ୍ରଦାନ କରିଥିଲେ l ଡ. କୁଳମଣି ଓଝା ଶଙ୍କରାଚାର୍ଯ୍ୟଙ୍କ ବିରଚିତ ଜଗନ୍ନାଥାଷ୍ଟକ ସହ କୃପାମୟ ଦେବଙ୍କ ରଚିତ ‘କି ଶୋଭା ଗୋ କୁଞ୍ଜେ ମଦନ ମୋହନ’ ସଂଗୀତ ପରିବେଷଣ କରିଥିଲେ l ଉକ୍ତ ଶ୍ରାଦ୍ଧ ଶତବାର୍ଷିକୀ ସ୍ମୃତି ସମାରୋହ ସଂଚାଳନରେ ଡ. କୃଷ୍ଣ ପ୍ରସାଦ ମହାପାତ୍ର, ଅନୁପ କୁମାର ମିଶ୍ର, ଦୀନବନ୍ଧୁ ଶ୍ରୀପଲ୍ଳବ, ନଳିନୀକାନ୍ତ ଗୌଡ଼ ଓ ରାଜ ପରିବାରର ଦେବବ୍ରତ ଦେବ, ସିଦ୍ଧାନ୍ତ ଗଙ୍ଗଦେବ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଡ. କୃଷ୍ଣ ପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here