ହିଞ୍ଜିଳିରୁ ପରିବା ଭୁବନେଶ୍ବର ପଠାଇବା ପାଇଁ ଉପଜିଲ୍ଲାପାଳଙ୍କ ପ୍ରୟାସ

0
260

 

ଛତ୍ରପୁର, ୧୧/୦୪/୨୦୨୦(ବ୍ୟୁରୋ ରିପୋର୍ଟ)ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବ୍ଲକ୍ ଅଞ୍ଚଳରେ ପରିବା ଉତ୍ପନ୍ନ ର ସୁଖ୍ୟାତି ଅଛି । ଲକ୍ ଡାଉନ୍ ହେତୁ ଚାଷୀମାନେ ସେମାନଙ୍କ ଉତ୍ପାଦିତ ପରିବା ବିକ୍ରି କରିବା କଷ୍ଟକର ହେଉଥିବାରୁ ଏହାକୁ ଭୁବନେଶ୍ବର ପଠାଇବା ପାଇଁ ବିହିତ ବ୍ୟବସ୍ଥା କରିବାକୁ ସ୍ତାନୀୟ କୃଷି ଓ ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ଉପଜିଲ୍ଲାପାଳ କହିଛନ୍ତି । ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ହିଞ୍ଜିଳି ବ୍ଳକ୍ ଗସ୍ତ କରି ନନ୍ଦିକ ଠାରେ ମା ସିଂହ ବାହିନୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପ୍ରସ୍ତୁତ କରୁଥିବା ମାସ୍କ ଅନୁଧ୍ୟାନ କରୁଥିଲେ । ଏହାର ସୁଚାରୁ ବିକ୍ରୟ ପାଇଁ ସମନ୍ବୀତ ଶିଶୁ ବିକାଶ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବଡଖଣ୍ଡି ଗ୍ରାମ ପଞ୍ଚାୟତ ଠାରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପରିବେଷଣ କରୁଥିବା ରନ୍ଧା ଖାଦ୍ୟର ଗୁଣାତ୍ମକ ମାନ ଯାଂଚ୍ କରିବା ସହିତ ହିତାଧିକାରୀ ମାନଙ୍କୁ ଗୁଣବତ୍ତା ବିଷୟରେ ପଚାରି ବୁଝିଥିଲେ । ବେଲ ଗାଁ ଠାରେ ଘରଘର ବୁଲି ହେଉଥିବା ସ୍ବାସ୍ଥ୍ୟଯାଂଚ୍ କାର୍ଯ୍ୟକ୍ରମରେ କର୍ମଚାରୀ ମାନଙ୍କର କାର୍ଯ୍ୟଶୈଳୀ ଅନୁଧ୍ୟାନ କରିଥିଲେ । ଗଣ୍ଡଳା ଠାରେ କରୋନା ପାଇଁ ହୋଇଥିବା ସାମୟିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ଉପ ଜିଲ୍ଲାପାଳ ବୁଲି ଦେଖିଥିଲେ ।
ମଧ୍ୟାହ୍ନରେ ହିଞ୍ଜିଳି ବ୍ଲକ୍ ରେ ଅନୁଷ୍ଠିତ ସମୀକ୍ଷା କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଚାଷୀଙ୍କ ଅଭାବୀ ବିକ୍ରିକୁ ପ୍ରତିହତ କରିବାପାଇଁ ସୁବ୍ୟବସ୍ଥା କରିବାକୁ କହିଥିଲେ । ହିଞ୍ଜିଳିର ପନିପରିବାକୁ ବ୍ରହ୍ମପୁର ଏବଂ ଭୁବନେଶ୍ବରକୁ ଚାଲାଣ କରାଯିବ । ସଂପୃକ୍ତ ଚାଷୀଙ୍କ ଗାଡିକୁ ଅନୁମତି ପତ୍ର ଦିଆଯିବ । କୃଷି ବିଭାଗ ଅଧିକାରୀ ଓ ଉଦ୍ୟାନ ବିଭାଗ ଅଧିକାରୀ ପ୍ରତ୍ୟେକ ଗ୍ରାମ ସହିତ ଯୋଗାଯୋଗ ରଖି ଚାଷୀ ମାନଙ୍କୁ ଉତ୍ସାହିତ କରିବେ । ସ୍ଥାନୀୟ ବ୍ଲକ୍ ଉନ୍ନୟନ ଅଧିକାରୀ ମଧ୍ୟ ଚାଷୀଙ୍କ ସମସ୍ୟା ପ୍ରତି ଉପଯୁକ୍ତ ଧ୍ୟାନ ଦେବେ । ଲକ୍ ଡାଉନ୍ ନିୟମର କୌଣସି ବ୍ୟତିକ୍ରମ ନ ହେବାପାଇଁ ଉପଜିଲ୍ଲାପାଳ ସୂଚାଇ ଦେଇଥିଲେ । ନିରାଶ୍ରୟ ବ୍ୟକ୍ତି ମାନଙ୍କୁ ଚିହ୍ନଟ କରି ପ୍ରତ୍ୟହ ଖାଇବାକୁ ଦେବାପାଇଁ କୁହାଯାଇଥିଲା ।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ହିଞ୍ଜିଳି ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ବ୍ଲକ୍ ଉନ୍ନୟନ ଅଧିକାରୀ ପ୍ରସନ୍ନ ପାତ୍ର, ତହସିଲଦାର ଗୋପୀନାଥ କୁଅଁର, ସ୍ଥାନୀୟ ଥାନା ଅଧିକାରୀ ଅଭିମନ୍ୟୁ ଦାଶ, ଶିଶୁ ବିକାଶ ଅଧିକାରୀ ଶୁଭଶ୍ରୀ ପାତ୍ର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here